ଦୁର୍ବୃତ୍ତମାନଙ୍କ ଦ୍ଵାରା ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେବା ରାଜରାସ୍ତାରରୁ ମୁହାଁଇଲାଣି ଗାଁ ଆଡ଼କୁ । ଗାଁ ଦାଣ୍ଡରେ ଚାଲୁଥିବା କିମ୍ବା ଘର ବାରଣ୍ଡାରେ ବସିଥିବା ବୟସ୍କ ମହିଳାଙ୍କ ବେକରୁ ଲୁଟ୍ ହେଲାଣି ସୁନା ଚେନ । ବାଲିଅନ୍ତା ଏବଂ ବାଲିପାଟଣା ଅଞ୍ଚଳରେ ଏଭଳି ଦୁଇଟି କାଣ୍ଡ ଘଟିଛି ଆଜି । ଘଟଣା ପରେ ପୋଲିସ ହାତରେ କେବଳ ସିସିଟିଭି ଫୁଟେଜ୍, ଦୁର୍ବୃତ୍ତମାନଙ୍କ ପତା ମିଳୁନି । ଫଳରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ।
ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ମହାନ୍ତି ସାହିରେ ୫୫ ବର୍ଷିୟା ମହିଳା ବାସନ୍ତୀ ମଞ୍ଜରୀ ମହାନ୍ତିଙ୍କର ୧୪ ଗ୍ରାମ୍ର ସୁନା ଚେନ୍ ଲୁଟ୍ ହୋଇଛି । ବାସନ୍ତୀ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିଲା ବେଳେ ଦୁଇଜଣ ଯୁବକ ବାଇକ୍ରେ ଆସିଥିଲେ । ଜଣେ ବାଇକରେ ଥିଲାବେଳେ ଅନ୍ୟ ଜଣେ ଠିକଣା ପଚାରିବା ବାହାନାରେ ତାଙ୍କ ପାଖକୁ ଆସିଥିଲା । କିଛି ବୁଝିବା ପୂର୍ବରୁ କିନ୍ତୁ ବେକରୁ ଚେନ୍ ଝିଙ୍କିଥିଲା । ବାସନ୍ତୀ ପ୍ରତିରୋଧ କରନ୍ତେ ଲୁଟେରା ଜଣଙ୍କ ଜୋତାରେ ତାଙ୍କ ଗୋଡ଼କୁ ମକଚି, ତଣ୍ଟି ଚିପି ଚେନ୍ ଛିଣ୍ଡାଇ ନେଇଥିଲା । ଆଖି ପିଛୁଳାକେ ଚଣାହାଟ ଛକ ଆଡ଼କୁ ପଳାଇଥିଲା ବାଇକ୍ ।
ଆଶ୍ଚର୍ଯ୍ୟର କଥା ତ ବାସନ୍ତୀ ଚିତ୍କାର କରି ରାସ୍ତା ଦେଇ ଯାଉଥିବା ଆଉ ଜଣେ ବାଇକ୍ ଚାଳକକୁ ସାହାଯ୍ୟ ମାଗନ୍ତେ ଯୁବକ ଜଣକ କିଛି ନଶୁଣିଲା ପରି ଚାଲି ଯାଇଥିଲେ । ଏ ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି ଓ ଖବର ପାଇ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ମଧ୍ୟ ପହଞ୍ଚିଛି ମାତ୍ର ଏଯାଏଁ ଲୁଟେରାଙ୍କର କୌଣସି ଟେର୍ ପାଇନି ।
ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁରେ ବି ଘଟିଛି ସମାନ ଘଟଣା । ପ୍ରାୟ ସାଢ଼େ ୧୦ଟା ବେଳେ ଦୁଇଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ୧୨ଗ୍ରାମ୍ ଓଜନର ସୁନା ଚେନ ଝାମ୍ପି ନେଇଛନ୍ତି । ଲୁଟ୍ର ଶିକାର ହୋଇଥିବା ମହିଳା ଜଣଙ୍କ ବାସନ୍ତୀ ସାହୁ । ପୁଅ ଅବକାଶ ଅଭିଯୋଗ ଅନୁଯାୟୀ ମାଆ ସବୁଦିନ ଭଳି ଦାଣ୍ଡ ପିଣ୍ଡାରେ ବସିଥିଲେ । ପଲସର୍ ବାଇକ୍ରେ ଦୁଇଜଣ ଯୁବକ ଆସି ମାଆ କିଛି ବୁଝିବା ପୂର୍ବରୁ ମାଆଙ୍କ ମୁହଁକୁ ଚାପି ଧରି ସୁନା ଚେନ ଛିଣ୍ଡାଇ ନେଇ ଚାଲିଗଲେ ।
ଚୋର ଚୋର କହି ମାଆ ଚିତ୍କାର କଲାବେଳକୁ ଲୁଟେରା ସେଠାରୁ ଛୁ’ ମାରି ସାରିଥିଲେ । ଯଦିଓ ପାଟି ଶୁଣି ଗାଁ ଯୁବକମାନେ ଦୁର୍ବୃତ୍ତମାନଙ୍କୁ ପିଛା କଲେ ହେଲେ ଧରି ପାରିଲେନି । ବାଲିଅନ୍ତା ଥାନା ପୋଲିସ ଏହି ଲୁଟ୍ ମାମଲାରେ ନିଷ୍କ୍ରିୟତା ପ୍ରଦର୍ଶନ କରୁଛି ବୋଲି ବି ଅବକାଶ ଆଉ ଏକ ଅଭିଯୋଗ ଆଣିଛନ୍ତି ।