ରାଜ୍ୟର ଏହି ସ୍ଥାନରେ ନିଆରା ଢଙ୍ଗରେ ସୁନା ଦୋକାନରୁ ସୁନା ଲୁଟ୍, ସୁନା ଦୋକାନୀ ରୁହନ୍ତୁ ସାବଧାନ !

ସଂସ୍କାର : ନିଆରା ଢଙ୍ଗରେ ସୁନା ଦୋକାନରୁ ସୁନା ଲୁଟ୍। ପ୍ରଥମେ ଗ୍ରାହକ ବେଶରେ ଆସିଲେ ଆଉ ପରେ ଦୋକାନରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ସୁନା ଦୋକାନୀର ଆଖିରେ ଧୂଳି ଦେଇ ମାସ୍କ ପିନ୍ଧି ଲୁଟିନେଲେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଏମିତି ଏକ ଘଟଣା ଘଟିଛି ସମ୍ବଲପୁରରେ।

ସମ୍ବଲପୁରର ଅତ୍ୟନ୍ତ ବ୍ୟସ୍ତବହୁଳ ବୈଦ୍ୟନାଥ ଛକ ବାଙ୍କା ଗଳିରେ ଥିବା ମୁନ୍ଦ୍ରା ଜ୍ୱେଲର୍ସ ଦୋକାନରୁ ଗ୍ରାହକ ବେଶରେ ଆସି ୨ ଜଣ ଲୁଟେରା ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ଗତକାଲି ଦିନ ପ୍ରାୟ ୧ଟା ୪୦ ମିନିଟରେ ବୈଦ୍ୟନାଥ ଛକ ସ୍ଥିତ ମୁନ୍ଦ୍ର ଜ୍ୱେଲର୍ସ ଦୋକାନକୁ ୨ ଜଣ ଅଜଣା ବ୍ୟକ୍ତି ସୁନା ଅଳଙ୍କାର କିଣିବା ବାହାନାରେ ଆସିଥିଲେ।

ଉଭୟ ମାସ୍କ ପରିଧାନ କରିଥିବା ବେଳେ ଜଣେ ଲୁଟେରା ମାସ୍କ ଓ ଟୋପି ପିନ୍ଧି ଦୋକାନକୁ ଆସି ଉପହାର ଦେବା ପାଇଁ ସୁନା ଅଳଙ୍କାର ଦେଖାଇବା ନିମନ୍ତେ କହିଥିଲେ। ସୁନା ଅଳଙ୍କାର ଦେଖିବା ସମୟରେ ଜଣେ ବ୍ୟକ୍ତି ଆନୁମାନିକ ୩ ଶହ ଗ୍ରାମର ସୁନା ଚେନ ଥିବା ଏକ ବାକ୍ସ ଧରି ସେଠାରୁ ପଳାଇଯାଇଥିଲା। ସୁନା ଅଳଙ୍କାର ଦୋକାନର ମ୍ୟାନେଜର ରଞ୍ଜନ ସେଠ, ଏ ସର୍ମ୍ପକରେ ଜାଣିବା ପରେ ତୁରନ୍ତ ସେମାନଙ୍କୁ ପିଛା କରିଥିବା ବେଳେ ବଡ ସଡକ ଦେଇ ମ୍ୟୁନିସିପାଲିଟି ଛକ ପଟକୁ ଦ୍ରୁତଗତିରେ ଉଭୟ ଲୁଟେରା ଏକ ସ୍କୁଟିରେ ପଳାଇ ଯାଇଥିଲେ।

ଅଳଙ୍କାର ଦୋକାନୀ ଟାଉନ ଥାନାକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟ ହୋଇଥିବା ସୁନା ଗହଣା ଗୁଡିକର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଦୋକାନକୁ ଆସିଥିବା ଜଣେ ଲୁଟେରା ଜଣକ ଟୋପି ଓ ମାସ୍କ ପିନ୍ଧିଥିବା ବେଳେ ଅନ୍ୟ ସାଥି ଜଣକ ହେଲମେଟ ପରିଧାନ କରି ଦୋକାନ ବାହାରେ ସ୍କୁଟି ଚାଲୁ ରଖି ଛିଡା ହୋଇଥିବାର ସିସିଟିଭିରୁ ଜଣାପଡିଛି। ଲୁଟ ଘଟଣାର ଲାଇଭ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଅନ୍ୟ ପକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲି ଥିବାରୁ ପୁଲିସ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଏକ ସବ ଇନିସପେକ୍ଟର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବାରୁ ପୁଲିସର ଢ଼ିଲା କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରାଯାଉଛି।

ଏ ସର୍ମ୍ପକରେ ଦୋକାନ ମାଲିକ ବସନ୍ତ ମୁନ୍ଦ୍ରା କହିଛନ୍ତି ଯେ, ଦିନ ପ୍ରାୟ ୧ଟା ୪୦ରେ ଦୋକାନକୁ ଗ୍ରାହକ ବେଶରେ ଆସି ସୁନାଗହଣା ଦେଖାଇବାକୁ ଜଣେ ଲୁଟେରା କହିଥିଲା। ଏଣୁ ଦୋକାନର କର୍ମଚାରୀ ତାଙ୍କୁ ସୁନା ଅଳଙ୍କାର ଦେଖାଇବା ସମୟରେ ସେ ସୁନାଚେନ ଥିବା ବାକ୍ସକୁ ଧରି ହଠାତ ସେଠାରୁ ପଳାଇଯାଇଥିଲା। ୩ ଶହ ଗ୍ରାମର ସୁନା ଚେନ ଉକ୍ତ ବାକ୍ସରେ ଥିବା ବେଳେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ତେବେ ଷ୍ଟକ ଯାଞ୍ଚ ପରେ କେତେ ପରିମାଣରେ ସୁନା ଅଳଙ୍କାର ଲୁଟ ହୋଇଛି, ତାହା ଜଣାପଡିବ ବୋଲି ମାଲିକ ମୁନ୍ଦ୍ରା କହିଛନ୍ତି।

Leave a Reply

Your email address will not be published. Required fields are marked *