ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର ଯେଉଁ ଶାସ୍ତ୍ରର ଆଧାରରେ ଗୃହ ନିର୍ମାଣ କଲେ ଶୁଭ ଫଲ ମିଳିଥାଏ । ଏହି ଶାସ୍ତ୍ରରେ ଯେଉଁ ନିୟମମାନ ରହିଛି ତାହାକୁ ଅନୁକରଣ କଲେ ଆମ ଘରେ ଆଲୋକ, ବାୟୁ ଚଳା ଚଳ ସଠିକ ହେବା ସହ ଶୁଭ ଶକ୍ତି ବା ପଜିଟିଭ୍ ଏନର୍ଜିର ସଠିକ୍ ସଞ୍ଚାଳନ ହେବାଦ୍ୱାରା ଗୃହବାସୀମାନେ ଅନେକ ଶୁଭ ଫଳ ପାଇଥାନ୍ତି।
ସବୁଠାରୁ ମୁଖ୍ୟ କଥା ହେଉଛି ଯେଉଁ ସ୍ଥାନରେ ଭୂମିଟିଏ କ୍ରୟ କରି ଘରଟିଏ ନିର୍ମାଣ କରିବା ଏହାକୁ ତ ବାସ୍ତୁଶାସ୍ତ୍ର ମତରେ କରିବା କିନ୍ତୁ ନିର୍ମାଣ ପୂର୍ବରୁ କେତେକ ସଂକେତ ମିଳିଥାଏ ତାହାକୁ ବିଚାରକୁ ନେଇ ପ୍ରତିକାର କଲେ ବାସ୍ତୁଦୋଷ ତୃଟିରୁ ଆମେ ସୁରକ୍ଷା ପାଇପାରିବା।
ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ କଣ?
ଶୁଭ ସଙ୍କେତ :
- ଭୂମିରେ ପ୍ରବେଶ ସମୟରେ ଶଙ୍ଖ ଶବ୍ଦ, ଜଳପୂର୍ଣ୍ଣ କଳସ, ବୀଣା ଶବ୍ଦ, ମୃଦଙ୍ଗବାଦ୍ୟ, ଆଦି ଶବ୍ଦ ଶୁଣିଲେ ବା ଦେଖିଲେ ଶୁଭ ସଂକେତ ମିଳିଲା ବୋଲି ଜାଣିବେ।
- ସୁସ୍ୱାଦୁ ଓ ସୁଗନ୍ଧିତ ମାଟି, ପୁଷ୍ପ, ସୁନା, ରୂପା, ରତ୍ନ ଆଦି ପଦାର୍ଥ ଦେଖିଲେ ଶୁଭପ୍ରଦ ହୁଏ।
- ଭୂମିରେ ଗୋମାତା ବାସ କରୁଥିଲେ। ଶୁଭ ବୃକ୍ଷମାନ ଦେଖିଲେ ଶୁଭ ଭୂମି ବୋଲି ଜାଣିବେ।
- ଗୃହ ପ୍ରବେଶରେ ସୌଭାଗ୍ୟବତୀ ନାରୀ, ହାତୀ, ଘୋଡ଼ା ଆଦି ଦେଖାଗଲେ ସେହି ଗୃହରେ ଧନ ସୁଖ ମିଳିଥାଏ।
- ଗୃହାରମ୍ଭ ଓ ପ୍ରବେଶ ସମୟରେ ଦୀପ, ପୁଷ୍ପ ମାଳ, ଅଳଙ୍କାର ବିଭୂଷଣ କନ୍ୟା ଦେଖିଲେ ଉତ୍ତମ ଫଳ ପ୍ରାପ୍ତି ହୁଏ।
ଅଶୁଭ ସଙ୍କେତ :
- ଭୂମି ବା ଗୃହରେ ପ୍ରବେଶ ସମୟରେ ମତଭେଦ ଝଗଡ଼ା ଆଦି ହେଲେ, ଚର୍ମ, ହାଡ଼, ସର୍ପ, କୋଇଲା ଆଦି ଦେଖିଲେ ଅଶୁଭ ଭୂମି ବୋଲି ଜାଣିବେ।
- ଛିଣ୍ଡା ଲୁଗା, ଅଳିଆ ଆବର୍ଜନା, ବର୍ଷା, ରୋଗୀ ଦେଖିଲେ ଅଶୁଭ ସଂକେତ ମିଳିଲା ବୋଲି ଜାଣିବେ।
- ଭୂମି ବା ଗୃହ ପ୍ରବେଶ ସମୟରେ ପଶୁପକ୍ଷୀଙ୍କ କଳି, ମନୁଷ୍ୟଙ୍କ କଳି ଦେଖିଲେ ବା ଶୁଣିଲେ ଏହା ଅଶୁଭ ସଙ୍କେତ।
- ଭୂମିରେ ପ୍ରବେଶ ସମୟରେ କୌଣସି ଜଳି ଯାଇଥିବା ସ୍ଥାନ ଦେଖିଲେ ଜାଣିବେ ଯେ ଏହା ଅଶୁଭ ସଙ୍କେତ।
ଏଣୁ ଭୂମି ପ୍ରବେଶ ବା ଗୃହ ପ୍ରବେଶ ସମୟରେ ଏହି ଶୁଭ ଅଶୁଭ ସଂକେତକୁ ମନେରଖି ଅନୁଧ୍ୟାନ କରିବା ଦରକାର କି କ’ଣ ସଂକେତ ମିଳୁଛି। ଯଦି ଶୁଭ ସଂକେତ ମିଳୁଛି ଭଲ , ଯଦି ଅଶୁଭ ସଂକେତ ମିଳୁଥାଏ ତେବେ ଭୂମିରେ ବାସ୍ତୁଦୋଷ ଅଛି ବୋଲି ଜାଣିବେ ଏବଂ ଏହାର ପ୍ରତିକାର ବାସ୍ତୁବିତ୍ଙ୍କ ପରାମର୍ଶ ନେଇ କରାଇଲେ ଅଶୁଭ ଫଳ ନଷ୍ଟ ହୋଇ ଶୁଭ ଫଳ ମିଳିଥାଏ।