ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌, ୩ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ , ଆହୁରି ବଢ଼ିପାରେ ମୃତକଙ୍କ ସଂଖ୍ୟା !

ସଂସ୍କାର : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେବାରୁ ପ୍ରାୟ ୮ ବଗି ଯାତ୍ରୀ ବିଶ୍ରାମାଗାରମ ଭିତରକୁ ପଶି ଯାଇଥିଲା। ଫଳରେ କ୍ଷଣକ ମଧ୍ୟରେ ଯାତ୍ରୀ ବିଶ୍ରାମାଗାରଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିବା ବେଳେ ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ, ମାଲବାହୀ ଟ୍ରେନ୍‌ଟି ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍‌ରେ କୋରେଇ ଷ୍ଟେସନରେ ପଶିଥିଲା। ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା। ଉକ୍ତ ସମୟରେ ସେଠାରେ ବହୁ ଲୋକ ବିଶ୍ରାମ ନେଉଥିବା ବେଳେ ବହୁ ଲୋକ ଟ୍ରେନ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଟ୍ରେନ୍‌ଟି ମାଡ଼ି ଆସିବା ଦେଖି ବହୁ ଲୋକ ଛତ୍ରଭଙ୍ଗ ଦେଖି ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଟ୍ରେନ୍‌ ବଗି ତଳେ ତଥା ଭଙ୍ଗା କାନ୍ଥ ତଳେ ଆହୁରି ବହୁ ଲୋକ ଚାପି ହୋଇଥିବା ଜଣାଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଜରିଆରେ ଉଲେଖ୍ୟ କରିଛନ୍ତି ଯେ, ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

Leave a Reply

Your email address will not be published. Required fields are marked *