ସଂସ୍କାର: ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କର ଆଜି ଦେହାନ୍ତ ହୋଇଯାଇଛି। ଦୀର୍ଘ ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ଡିସେମ୍ବର ୮ ରେ, ତାମିଲନାଡୁର କୁନୁରରେ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ CDS ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୨ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା।
ତେବେ ଏହି ଦୁର୍ଘଟଣାରେ କେବଳ ବରୁଣ ସିଂ ହିଁ ମୁକ ସାକ୍ଷୀ ଥିଲେ । ମାତ୍ର ଆଜି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଭାରତୀୟ ବାୟୁସେନା ଟୁଇଟ୍ କରି ଏହି ସୂଚନା ଦେଇଛି । IAF ଟ୍ୱିଟ୍ କରି କହିଛି ଯେ ଚିକିତ୍ସା ସମୟରେ ଗ୍ରୁପ୍ କ୍ୟାପଟେନଙ୍କ ଦେହାନ୍ତ ହୋଇଛି । ଏଥିପାଇଁ ଭାରତୀୟ ବାୟୁସେନା ଅତ୍ୟନ୍ତ ଦୁଃଖପ୍ରକାଶ କରୁଛି। ତାଙ୍କ ଦେହାନ୍ତରେ ବାୟୁସେନା ଅଧିକାରୀମାନେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଦେଶ ଜଣେ ବୀର ଯବାନଙ୍କୁ ହରାଇଛି। ତାଙ୍କ ବିୟୋଗରେ ଆମେ ଅତ୍ୟନ୍ତ ମର୍ମାହତ । ତାଙ୍କର ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଉଛି।