ଯୁବ-ଇଞ୍ଜିନିୟରଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ : ଯୁବତୀଙ୍କ ହଷ୍ଟେଲ ସାମ୍ନାରେ କରିଥିବା ତୁମୂଳକାଣ୍ଡ ଯୋଗୁ ଖାଇଲେ ନିସ୍ତୁକ ମାଡ଼

ରବିବାର ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା NTPC ୪ ନମ୍ବର ହଷ୍ଟେଲ ସାମ୍ନାରେ ଘଟିଛି ଗୋଟିଏ ତୁମୂଳକାଣ୍ଡ । ଏ ତୁମୂଳକାଣ୍ଡ ଘଟାଇଥିବା ଯୁବକ NTPC ର ଜଣେ ଇଞ୍ଜିନିୟର । ହଷ୍ଟେଲରେ ରହୁଥିବା ଜଣେ ଯୁବତୀଙ୍କୁ ନିଜର ପ୍ରେମିକା ବୋଲି ଦାବି କରିବା ମହଙ୍ଗା ପଡ଼ିଛି ଉକ୍ତ ଯୁବ ଇଂଜିନିୟରଙ୍କୁ । ସ୍ଥାନୀୟ ଲୋକ ନିର୍ଧୂମ ପିଟିବା ସହିତ ପୋଲିସକୁ ଖବର ଦେଇଥିଲେ ।

ଘଟଣାଟି ଏହିପରି । ବିହାରର ଅଧିବାସୀ ରୂପେଶ କୁମାର NTPC ରେ କାମ କରୁଥିବା ଜଣେ ଯୁବ ଇଂଜିନିୟର । ମାତ୍ର ଗତ ଦୁଇ ମାସ ହେବ ସେ ଚାକିରି ଛାଡ଼ି ବେହ୍ଗାଲୁରୁ ଚାଲି ଯାଇଥିଲେ ।  ରବିବାର ଦିନ ସକାଳେ କିନ୍ତୁ NTPC ହଷ୍ଟେଲ‌ ସାମ୍ନାକୁ ଆସି ଜଣେ ମହିଳା କର୍ମଚାରୀଙ୍କୁ ନିଜର ପ୍ରେମିକା ବୋଲି ଦାବି କରିଥିଲେ । ହଷ୍ଟେଲ‌ ସମ୍ମୁଖରେ ବସି ଅନେକ ସମୟ ଯାଏଁ ପାଟିତୁଣ୍ଡ କରିଥିଲେ । ଫଳରେ ରୂପେଶକୁ ସେଠା ସୁରକ୍ଷାକର୍ମୀ ବାନ୍ଧି ପକାଇଥିଲେ ।

କିଛି ସମୟରେ ରୂପେଶଙ୍କୁ ଖୋଲି ଦିଆଯାଇଥିଲା ସତ ହେଲେ ସେ ତାଙ୍କ ଉତ୍ପାତରୁ ନିବୃତ୍ତ ହୋଇନଥିଲେ । ବରଂ ସେ ଉତ୍ପାତ ବଢିଥିଲା । ଏମିତିକି କିଛି ସ୍ଥାନୀୟ ଲୋକଙ୍କୁ ମାରପିଟ୍ କରିବା ସହିତ ଗାଳିଗୁଲଜ ବି କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ନିସ୍ତୁକ ପିଟିଲେ । ମାଡ଼ପିଟିରେ ତାଙ୍କ ହାତର ଅଙ୍ଗୁଳି ଭାଙ୍ଗି ଯାଇଥିବା ଜଣାପଡ଼ି ଥିବାବେଳେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୂପେଶ କୁମାରଙ୍କୁ କାବୁ କରିଥିଲା ଏବଂ ଚିକିତ୍ସା ପାଇଁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଇଲା ।

ସୂଚନା ଅନୁଯାୟୀ ରୂପେଶଙ୍କ ହରକତରେ ଅତିଷ୍ଠ ହୋଇ ଯୁବତୀ ଜଣଙ୍କ ଥାନାରେ FIR ଦେଇଛନ୍ତି ଯଦିଓ ଥାନାରେ କୌଣସି ମାମଲା ହୋଇ ନାହିଁ ବୋଲି ପୋଲିସ ବୟାନ ଦେଇଛି । ଅଭିଯୋଗ କରିଥିବା ଯୁବତୀଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡ଼ି ଥିବାବେଳେ ପୋଲିସ ରୂପେଶଙ୍କ ପରିବାର ଲୋକଙ୍କୁ ଡକାଇଛି । ସେପଟେ କିନ୍ତୁ ଯୁବତୀ ଜଣକ ଏ ମାମଲାକୁ ଆଗକୁ ନବଢାଇବାକୁ କହୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *