ସଂସ୍କାର : ଗୁଜୁରାଟରେ ଲଗାତାର ସପ୍ତମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇଛି ବିଜେପି। ପୁଣି ଥରେ ରାଜ୍ୟରେ ଶାସନ କରିବାକୁ ଯାଉଛି ଗୈରିକ ଦଳ ଭାରତୀୟ ଜନତା ପାର୍ଟି। ଏଠାରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ୱୀ ଥିବା କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି।
ବିଜେପିର ଐତିହାସିକ ବିଜୟ ପରେ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଛି। ତେବେ ଏହି ସେମିବ୍ରେସନରେ ସାମିଲ ହୋଇଛନ୍ତି ମହାତ୍ମା ଗାନ୍ଧୀଙ୍କ ବେଶଧାରୀ ଓଡ଼ିଆ ଯୁବକ ମୋହନ ମହାପାତ୍ର। ସେ ସିଲଭର ରଙ୍ଗରେ ନିଜକୁ ରଙ୍ଗାୟିତ କରିବା ସହ ଅହମ୍ମଦାବାଦରେ ବିଜେପିର ବିଜୟକୁ ସେଲିବ୍ରେସନ କରିଛନ୍ତି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।
ମୋହନ ନିଜକୁ ଅବିକଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ସଜାଇଛନ୍ତି। ହାତରେ ସେ ବାଡି ଧରିବା ସହ ବିଜେପିର ଚିହ୍ନ ପଦ୍ମ ସହ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଚିତ୍ରକୁ ଧରିଛନ୍ତି। ବିଜେପିର ବିଜୟ ଉତ୍ସବରେ ସେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଛି ।
ସେ ମୋଦିଙ୍କ ପ୍ରଶଂସକ ହୋଇଥିବା ବେଳେ ବିଜେପିର ବିଜୟକୁ ନେଇ ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଯେ, ସେ ଭାରତରେ ପାଦରେ ଯାତ୍ରା କରି PM ମୋଦିଙ୍କ ସ୍ୱପ୍ନକୁ ଆଗକୁ ନେଉଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ହେଉଛି ବିଜେପିର ଐତିହାସିକ ବିଜୟ। ଭଗବାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଶୀର୍ବାଦ ଦେଇଛନ୍ତି। ଯେତେବେଳେ ସେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ସେତେବେଳେ ଠାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନୁପ୍ରାଣିତ ହୋଇଥିଲେ। ଅହମ୍ମଦାବାଦରେ ମୋହନଙ୍କୁ ଏପରି ବେଶଭୂଷାରେ ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା ଏବଂ କିଛି ଲୋକ ତାଙ୍କ ସହିତ ସେଲ୍ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ସୂଚନା ଥାଉ କି ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଟ ୧୮୨ଟି ଆସନରୁ ବିଜେପି ଦଳ ୧୫୬ଟି ଆସନରେ ବିଜୟ ଲାଭ କରିଛି । ସେପଟେ କଂଗ୍ରେସକୁ ମାତ୍ର ୧୭ଟି ଭୋଟ ମିଳିଥିବା ବେଳେ ଆପ୍ର ପ୍ରଦର୍ଶନ ଶୋଚନୀୟ ରହିଛି। ନିର୍ବାଚନ ଲାଗି ଆପ୍ ଜୋରଦାର ପ୍ରଚାର କରିଥିବା ବେଳେ ଭୋଟରଙ୍କ ଉପରେ ସେତେଟା ପ୍ରଭାବ ବିସ୍ତାର କରିପାରିନାହିଁ। ଆପ୍ ମାତ୍ର ୫ଟି ଆସନରେ ବିଜୟ ହୋଇଛି। ବିଜୟ ପରେ ବିଜେପି କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ରାଜ୍ୟ ଓ ନୂଆଦିଲ୍ଲୀ ପାର୍ଟି ଅଫିସରେ କର୍ମୀଙ୍କ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଛି।