କରୋନା ମହାମାରୀର ଦ୍ଵିତୀୟ ତରଙ୍ଗ ଏବେ ଉଗ୍ର ରୂପ ନେଇଛି । ଦେଶ ବିଦେଶ ଚାରିଆଡ଼େ ସ୍ଥିତି ଭୟାବହ । ଇତିମଧ୍ୟରେ ହରିୟାଣାର ଜିନ୍ଦର ସିଭିଲ ହସ୍ପିଟାଲରୁ ସାମ୍ନାକୁ ଆସିଛି ଏକ ଅଜବ ଚୋରି ଘଟଣା । ବୁଧବାର ଦିନ ରାତିରେ ଜଣେ ଚୋର କରୋନା ଭ୍ୟାକସିନ୍ର ୧୦୦ ଡୋଜ୍ ଚୋରାଇ ନେଇଥିଲା । ହେଲେ ଗୁରୁବାର ଦିନ ସିଭିଲ ଲାଇନ୍ ଥାନା ବାହାରେ ଏକ ଚା’ବାଲାକୁ ସବୁ ଚୋରି ଜିନିଷ ଫେରାଇ ଦେବା ସହିତ ଛାଡ଼ି ଯାଇଥିଲା ହାତ ଲେଖା ଏକ ଚିଠି । ଉକ୍ତ ଚିଠିରେ ଲେଖାଥିଲା -‘ସରି… ମୁଁ ଜାଣିନଥିଲି ଏହା କରୋନା ଭ୍ୟାକ୍ସିନ୍’।
ତେବେ ଏହି ମାମଲା ନେଇ ଜିନ୍ଦଲ୍ ପୋଲିସର ଡିଏସ୍ପି ଜିତେନ୍ଦ୍ର ଖଟକଡ଼ ସୂଚନା ଦେଇଥିଲେ । ତାଙ୍କ କହିବାନୁସାରେ ଚୋର ଜଣେ ବୃଦ୍ଧ ଚା’ ବାଲାକୁ ଭ୍ୟାକ୍ସିନ୍ ଫେରାଇ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲା। ପରେ ଉକ୍ତ ବୃଦ୍ଧ ଥାନାରେ ପହଞ୍ଚି ଚୋରି ହୋଇଥିବା ସେ ବ୍ୟାଗ୍ ଦେଇ ଯାଇଥିଲେ । ବ୍ୟାଗ୍ ଭିତରୁ ୧୮୨ ଟି କୋଭିସିଲ୍ଡର ଏବଂ ୪୪୦ ଟି କୋଭାକ୍ସିନ୍ର ଜବତ ହୋଇଛି । ଏସବୁ ସହିତ ଏକ ହାତଲେଖା ଚିଠି ବି ମିଳିଛି ।
ସୂଚନା ଅନୁସାରେ ଡିଏସ୍ପି ଜିତେନ୍ଦ୍ରଙ୍କ କହିବା କଥା ଯେ ଚୋର ବୋଧ ହୁଏ ରେମଡେସିଭିର ଇଞ୍ଜେକସନ୍ ବଦଳେ ଭୁଲ୍ରେ କରୋନା ଟିକା ଚୋରାଇ ନେଇଥିଲା । ହେଲେ ଏଯାବତ୍ ଚୋରର କୌଣସି ସନ୍ଧାନ ମିଳିପାରି ନାହିଁ । ତେବେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୪୫୭ ଏବଂ ୩୮୦ ଧାରା ଅନ୍ତର୍ଗତ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।