ଭୁବନେଶ୍ୱର : ୨ ଜଣଙ୍କ ପରେ ଓଡ଼ିଶାରେ ଆଉଜଣେ କରୋନାଭାଇରସ ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ମାର୍ଚ୍ଚ ୨୧ ତାରିଖ ଦିନ ବ୍ୟକ୍ତି ଜଣକ କର କ୍ଲିନିକ ଯାଇଥିଲେ ଓ ୨୪ ତାରିଖରେ ଆଇ.ସି.ୟୁ.ରେ ଭର୍ତ୍ତି ହୋଇଥିଲେ ଗୋଟିଏ ଦିନ ପାଇଁ । ଗତକାଲି ପରୀକ୍ଷା ହୋଇଥିବା ତାଙ୍କ ରକ୍ତ ନମୁନାର ରିପୋର୍ଟରେ ଆସିଛି କରୋନାଭାଇରସର ପଜିଟିଭ । ତେଣୁକରି ଭୁବନେଶ୍ୱର ସ୍ଥିତ କର କ୍ଲିନିକକୁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱର ବାସିନ୍ଦା ଓ ତାଙ୍କ ବୟସ ୬୦ ବର୍ଷ । ଏହି ମାମଲାକୁ ମିଶେଇ ଏବେ ରାଜ୍ୟରେ ମୋଟ ୩ ଜଣ ଏହି ଭୟାବହ କରୋନାରେ ପୀଡ଼ିତ ।

ଏହି ବ୍ୟକ୍ତିଙ୍କ କଥା ଜଣାପଡ଼ିବା ପରେ ଘରୋଇ କ୍ଲିନିକଗୁଡ଼ିକ କୋଭିଡ-୧୯ ଗାଇଡ୍ଲାଇନ୍ ଅବଜ୍ଞା କରୁଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କ୍ଷୁବ୍ଧ । ରୋଗୀଙ୍କ ସାଧାରଣ ଥଣ୍ଡା ଓ କାଶ ଯାଞ୍ଚବେଳେ ମଧ୍ୟ ଗାଇଡ୍ଲାଇନ୍ ମାନିବାକୁ ପରାମର୍ଶ ଦେବା ସହିତ ଗାଇଡ୍ଲାଇନ୍ ନମାନିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି ।
ଚିହ୍ନଟ ହୋଇଥିବା ତୃତୀୟ ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଆଇସୋଲେସନ୍ରେ ରଖିବାକୁ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିଲାବେଳେ ରୋଗୀ ଜଣଙ୍କ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଏଯାଏଁ ସ୍ପଷ୍ଟ ଜଣା ପଡ଼ିନାହିଁ । ତଥାପି ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ଅଛି ।
ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ ‘କରୋନା’ ରୋଗୀ ମଧ୍ୟ ଥିଲେ ଭୁବନେଶ୍ୱରର ଯଦିଓ ସେ ବିଦେଶ ଫେରନ୍ତା ଥିଲେ । ଚିହ୍ନଟ ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ଵସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଦ୍ଵିତୀୟ ମାମଲା ମାର୍ଚ୍ଚ ୧୯ ତାରିଖରେ ସାମ୍ନାକୁ ଆସିଥିଲା । ଭୁବନେଶ୍ୱର RMRC ରେ ପରୀକ୍ଷା ହୋଇଥିବା ୧୪ଟି ନମୁନା ଭିତରୁ ଜଣଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ସେ ମଧ୍ୟ ବିଦେଶରୁ ଫେରିଥିଲେ ଓ ଏବେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି ।
ସୂଚନାରୁ ଅନୁଯାୟୀ ଭାରତରେ ଏ ପର୍ଯ୍ୟନ୍ତ କରୋନା ଜନିତ ୧୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ଏବଂ ୬୩୩ ଜଣ ସଂକ୍ରମିତ ଯେଉଁମାନେ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି । ଏହାଛଡ଼ା ଅନେକେ ଏକାନ୍ତବାସରେ ବି ଅଛନ୍ତି ।