କଳା ଯାଦୁ ଭୟ ; ୧୦ ବର୍ଷ ପରେ ଘରରୁ ବାହାରିଲେ ତିନି ଭାଇ – ଭଉଣୀ

ସଂସ୍କାର : ଜଣେ ବ୍ୟକ୍ତି କିପରି କ୍ରୁରତାର ସୀମା ଅତିକ୍ରମ କରେ ତାହା ଅନେକ ଥର ଶୁଣାଯାଇଥାଏ। ଏଭଳି ଏକ ହୃଦୟ ବିଦାରକ କାହାଣୀ ଗୁଜୁରାଟର ରାଜକୋଟରୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ରାଜକୋଟସ୍ଥିତ ଏକ ଘରୁ ତିନି ଭାଇଭଉଣୀ ଅମ୍ରିଶ ମେହେଟ୍ଟା (୪୨) , ମେଘନା ମେହେଟ୍ଟା (୩୯), ଭବ ମେହେଟ୍ଟା (୩୦) ଙ୍କୁ ଉଦ୍ଧାର କରାଯାଇଛି। ଏହି ତିନିଜଣ ଶିକ୍ଷିତ ଏବଂ ବିଶ୍ୱବିଦ୍ୟାଳୟ ଡିଗ୍ରୀ ହାସଲ କରିଛନ୍ତି। ତେବେ ଏହି ତିନି ଭାଇ ଭଉଣୀ ଏତେ ଶିକ୍ଷିତ ହୋଇ ମଧ୍ୟ କଳା ଯାଦୁ ଭୟରେ ନିଜକୁ ଘରର ଏକ କୋଠରୀରେ ବନ୍ଦୀ କରି ଦେଇଥିଲେ। ଗୋଟିଏ କି ଦୁଇ ଦିନ ନୁହଁ , ପ୍ରାୟ ୧୦ ବର୍ଷ ଧରି ସେମାନେ ନିଜକୁ ନିଜେ ବନ୍ଦୀ କରି ରଖିଥିଲେ। ଏହି ମାମଲାରେ ସେମାନଙ୍କର ପିତା କହିଛନ୍ତି ଯେ, ସେମାନଙ୍କର ମା’ର ମୃତ୍ୟୁ ପରେ ଏହି ତିନିଜଣ ନିଜକୁ କୋଠରୀରେ ତାଲା ପକାଇ ଦେଇଥିଲେ।

ଅନ୍ୟପକ୍ଷରେ ଲୋକମାନେ କୁହନ୍ତି ଯେ ଏହି ତିନିଜଣଙ୍କ ପିତା , ତାର ସ୍ତ୍ରୀର ମୃତ୍ୟୁ ପରେ ଅନ୍ଧବିଶ୍ୱାସ ଏବଂ କଳା ଯାଦୁରୁ ରକ୍ଷା କରିବା ପାଇଁ ତାଙ୍କ ପିଲାମାନଙ୍କୁ ବନ୍ଦ କରି ରଖିଥିଲେ। ତେବେ ବନ୍ଦୀ ଅବସ୍ଥାରେ ଥିବା ତିନି ଭାଇ ଓ ଭଉଣୀଙ୍କୁ ଏନଜିଓ ‘ସାଥି ସେବା ଗ୍ରୁପ୍’ ଚିହ୍ନଟ କରିଛନ୍ତି। ସେହିପରି ଏହି ସଂଗଠନ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ ଏହି ତିନି ଭାଇଭଉଣୀଙ୍କ ବିଷୟରେ କେହି ଜଣେ ଏହି ଏନଜିଓକୁ ଜଣାଇଥିଲେ।

ଗତ ରବିବାର ସନ୍ଧ୍ୟାରେ ଏନଜିଓର ଲୋକମାନେ କିଶାନପୁରାରେ ପହଞ୍ଚି ଯେତେବେଳେ ଘରର କବାଟ ଖୋଲିଲେ , ଠିକ ସେହି ସମୟରେ ବନ୍ଦ ଥିବା କୋଠରୀରୁ ପୁରୁଣା ଖାଦ୍ୟ, ମାନବ ମଳର ଗନ୍ଧ ଆସୁଥିଲା। ଏନଜିଓ ଆସିବାର କିଛି ସମୟ ପରେ ପିତା ନବୀନ ମେହେଟ୍ଟା ଘଟଣାସ୍ଥଳରେ ପହଞ୍ଚି କହିଥିଲେ ଯେ ମାଆଙ୍କ ମୃତ୍ୟୁ ପରେ ଏହି ତିନିଜଣ ବିଗତ ୧୦ ବର୍ଷ ହେଲା ଏହିପରି ଜୀବନ ଅତିବାହିତ କରୁଛନ୍ତି। ନବୀନଭାଇ କହିଛନ୍ତି ଯେ ଅମ୍ରିଶଙ୍କ ପାଖରେ ବିଏ, ଏଲଏଲବି ଡିଗ୍ରୀ ରହିଛି। ସେ ପେସାଦାରରେ ଜଣେ ଓକିଲ ଥିଲା। ସେହିପରି ମେଘନା ପାଖରେ ଏମ ସାଇକୋଲୋଜି ର ଡିଗ୍ରୀ ରହିଛି ଏବଂ ସବୁଠୁ ଛୋଟ ଭାବେଶ ପାଖରେ ବିଏ ଇକୋନୋମିକ୍ସ ଡିଗ୍ରୀ ଥିଲା ଏବଂ ସେ ଜଣେ ଭଲ କ୍ରିକେଟର ଥିଲା।

ନବିନଭାଇ କହିଛନ୍ତି ଯେ ସେ ତିନିଜଣଙ୍କ କୋଠରୀ ବାହାରେ ଖାଦ୍ୟ ରଖୁଥିଲେ। କିଛି ସମ୍ପର୍କୀୟ ଏହି ତିନିଜଣଙ୍କ ଉପରେ କଳା ଯାଦୁ କରିଛନ୍ତି। ଏହି ତିନିଜଣଙ୍କ ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଖରାପ ହୋଇଯାଇଛି। ତେବେ ଏନଜିଓର ଜଣେ ସଦସ୍ୟ ନିଶ୍ଚିତ କରିଛନ୍ତି ଯେ ଏହି ତିନିଜଣଙ୍କର ଯତ୍ନ ସେମାନେ ନେବେ।

Leave a Reply

Your email address will not be published. Required fields are marked *