ସାଇନସ୍ ସଂକ୍ରମଣ ହେଉଛି ଏକ ନାକ ଜନିତ ସମସ୍ୟା ଯାହା ଆଲର୍ଜି, ଜୀବାଣୁ ସଂକ୍ରମଣ କିମ୍ବା ଥଣ୍ଡା ଦ୍ୱାରା ହୋଇଥାଏ । ଶୀତ ଋତୁରେ ସାଇନସ୍ ସମସ୍ୟା ସାଧାରଣତଃ ବଢି ଯାଇଥାଏ । ଏଥିଯୋଗୁ ଶ୍ଵାସ କ୍ରିୟାରେ କଷ୍ଟ ଅନୁଭୂତ ହୁଏ ଏବଂ ମୁଣ୍ଡ ବିନ୍ଧେ । ସାଇନସ୍ ସମସ୍ୟା ୪ ସପ୍ତାହ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ । ତେବେ କେତେଟା ଘରୋଇ ପଦ୍ଧତି ଆପଣେଇ ବି ଏହି ସମସ୍ୟାରୁ ମୁକ୍ତି ପାଇହେବ ।
ଶରୀରରେ ଜଳ ସ୍ତର କମିଲେ ସାଇନସ୍ ସମସ୍ୟା ବେଶି ବଢେ । ଯଦି ଆପଣଙ୍କର ସାଇନସ୍ ସମସ୍ୟା ରହିଛି ତେବେ ସବୁବେଳେ ନିଜକୁ ହାଇଡ୍ରେଟ୍ ରଖନ୍ତୁ । ଅର୍ଥାତ ଜୁସ, ସରବତ କିମ୍ବା ପ୍ରଚୁର ପାଣି ପିଅନ୍ତୁ । ଅପର ପକ୍ଷରେ ସାଇନସ୍ ସମସ୍ୟା ଥିବା ବ୍ୟକ୍ତିମାନେ ମଦ୍ୟପାନ, ଧୂମ୍ରପାନ ଏବଂ ତମ୍ବାଖୁ ଜାତୀୟ ଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍ ।
ଜମିଥିବା କଫ କାଢିବାକୁ ଲଙ୍କା ଗୁଣ୍ଡ, ଘରୋଇ ମସଲା ବି ଖୁବ ଉପକାରୀ । ଏଥିରେ ଥାଏ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ । ଏହାବ୍ୟତୀତ, ଆପଲ୍ ସାଇଡର୍ ଭିନେଗାର ଏବଂ ଲେମ୍ବୁ ରସରେ ହର୍ସରାଡିସ୍ ମିଶାଇ ନେଲେ ସାଇନସ୍ ସମସ୍ୟାରେ ଆରାମ ମିଳିଥାଏ ।
ସାଇନସ୍ ହ୍ରାସ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ପ୍ରଶ୍ଵାସରେ ବାଷ୍ପ ନେବା । ପାଣି ଗରମ କରି ସେଥିରେ ୩ ବୁନ୍ଦା ପିମ୍ପରିମେଣ୍ଟ ତେଲ ପକେଇ, ୩ ବୁନ୍ଦା ରୋଜମେରି ତେଲ ଏବଂ ୨ ବୁନ୍ଦା ନୀଳଗିରି ତେଲ ରପକାନ୍ତୁ । ଏହାପରେ ମୁଣ୍ଡ ଏକ ଟାୱେଲରେ ଘୋଡାଇ ଏହି ପାଣିର ବାଷ୍ପକୁ ପ୍ରଶ୍ଵାସରେ ନିଅନ୍ତୁ । ବନ୍ଦ ନାକ ଖୋଲିବା ସହିତ ଏହା ଆପଣଙ୍କୁ ଖୁବ୍ ହାଲୁକା ଅନୁଭବ କରାଇବ ।
ଏହାବ୍ୟତୀତ ସାଇନସ୍ ସମସ୍ୟା ପାଇଁ ହଳଦି ଏବଂ ଅଦା ଚା’କୁ ସବୁଠାରୁ ପ୍ରଭାବଶାଳୀ ଆୟୁର୍ବେଦିକ ଚିକିତ୍ସା ଭାବରେ ବିବେଚନା କରାଯାଇଛି । ଏହାଛଡ଼ା ଗୋଟିଏ ଚାମଚ ମହୁରେ ଅଦା ରସ ମିଶାଇ ଦିନକୁ ୨/୩ ଥର ବି ନେଇପାରିବେ । ଆପଲ୍ ଭିନେଗାର ମଧ୍ୟ ସାଇନସ୍ ରେ ଏକ ପ୍ରାକୃତିକ ଉପଚାର ଭାବରେ କାମ କରେ । ଏକ କପ୍ ଉଷୁମ ପାଣିରେ ୩ ଚାମଚ ଆପଲ୍ ଭିନେଗାର ପକାଇ ପିଇଲେ ସାଇନସ୍ କଷ୍ଟରୁ ଆରମ ମିଳେ । ସ୍ୱାଦ ପାଇଁ ଏଥିରେ ଲେମ୍ବୁ ଏବଂ ମହୁ ମଧ୍ୟ ମିଶାଯାଇପାରିବ । ଏହାକୁ ଦିନକୁ ୩ ଥର ନେଇହେବ ।