ଉତ୍ତର ବଙ୍ଗୋପସାଗର ଏବଂ ତାକୁ ଲାଗି ପାଖ ଅଞ୍ଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ବାଂଲାଦେଶରେ ଘୂର୍ଣ୍ଣିବଳୟ ପ୍ରଭାବ ଯୋଗୁ ହୋଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇପାରେ ।
ସୂଚନା ଅନୁଯାୟୀ ୨୫ ତାରିଖ ଅପରାହ୍ନ ସୁଦ୍ଧା ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ତଥା ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା ଅଧିକ ରହିଛି । ଏହାକୁ ନଜରରେ ରଖି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ ଜଗତସିଂହପୁର, କଟକ, ଢେଙ୍କାନାଳ, ପୁରୀ, ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ୨୬ ତାରିଖ ସଞ୍ଜ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ପକ୍ଷରୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ ୨୭ ତାରିଖ ସଞ୍ଜ ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ିର ସମ୍ଭାବନା ରହିଛି । ସେହିପରି ୨୮ ତାରିଖ ସଞ୍ଜ ସୁଦ୍ଧା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।
ହେବାକୁ ଥିବା ପ୍ରବଳ ବର୍ଷା କାରଣରୁ ରାଜ୍ୟର ୧୯ ଜିଲ୍ଲାକୁ ବନ୍ୟା ଆଶଙ୍କା ରହିଛି । ବନ୍ୟା ଯଦି ବି ନହୁଏ ତଥାପି କେତେକ ସ୍ଥାନରେ ୱାଟର ଲଗିଂ ଏବଂ ଫ୍ଲାସ୍ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହିତ ଅନେକ ସ୍ଥାନରେ ରାସ୍ତା ଧୋଇଯିବା ସହିତ କଚା ଘରଗୁଡ଼ିକର କ୍ଷତି ହେବ ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ମଧ୍ୟ ସମ୍ଭାବନା ରହିଛି ।