ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଏବଂ ଦେବଗଡ଼ ଏହି ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ବା ତା’ଠାରୁ ଅଧିକ ବର୍ଷା ହେଇପାରେ ।
ସେହିପରି କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି । ଏହାଛଡ଼ା SRC ଙ୍କ କାର୍ଯ୍ୟାଳୟ ତରଫରୁ ସୂଚାଇ ମିଳିଛି ଯେ ଆଗାମୀ ୨୫ ତାରିଖ ଯାଏଁ ରାଜ୍ୟରେ ବର୍ଷାର ପ୍ରକୋପ ଏଇମିତି ଜାରି ରହିବ ।
ତେବେ ପ୍ରଥମ ଲଘୁଚାପର ପ୍ରଭାବ ୨୨ ତାରିଖ ବେଳକୁ ସରିବାବେଳକୁ ୨୩ ତାରିଖରେ ଆସୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଅବ୍ୟାହତ ରହିବ । ଦ୍ଵିତୀୟ ଲଘୁଚାପର ପ୍ରଭାବ କିନ୍ତୁ ୨୪ ତାରିଖ ଅପରାହ୍ନରୁ ୨୫ ତାରିଖ ଯାଏଁ ରହିବ । ତେଣୁ ୨୫ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚାଇ ଦିଆଯାଇଛି ।
ସୂଚନା ଅନୁଯାୟୀ ସମସ୍ତ ବନ୍ଦର ଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବାବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ପ୍ରଭାବରେ ଅଧିକାଂଶ ଧାନ ଚାଷ ଜମିରେ ପାଣି ଜମି ରହିଥିବାବେଳେ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି । ଇନ୍ଦ୍ରାବତୀ ନଦୀରେ ମଧ୍ୟ ଜଳସ୍ତର ବଢିଛି । ମାତ୍ର ବଡ଼ ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶ୍ଵସ୍ତ କରାଯାଇଛି ।