ସଂସ୍କାର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଲଗାଇଥିବା ଗାଡି ଚାଳକଙ୍କ ପାଇଁ ରାଜ୍ୟ ସରକାର ଦେଲେ ଆଶ୍ୱସ୍ତି। ଗାଡି ମାଲିକଙ୍କୁ ମିଳିଛି ଆଉ ମାସେ ମହଲତ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆଉ ଆସନ୍ତାକାଲିଠୁ ଗଣିବାକୁ ପଡ଼ିବନି ଜରିମାନା। ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର।
ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନିଜ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ସମୟ ପାଇପାରିଛନ୍ତି ଗାଡ଼ି ଚାଳକ। ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥିସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି।ଆବଶ୍ୟକ ସ୍ଥଳେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ହୋଇପାରେ । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିଲା ସେମାନଙ୍କ ଛାତିରେ ଛନକା ପଶିଥିଲା। କାରଣ ନୂଆ ନମ୍ବରପ୍ଲେଟ୍ ନ ଲଗାଇଥିଲେ କିମ୍ବା ସ୍ଲଟ୍ ବୁକିଂ କରି ନ ଥିଲେ ଆସନ୍ତାକାଲିଠୁ ମୋଟା ଅଙ୍କର ତଣ୍ଡ ଗଣିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସଫାସଫା କୁହାଯାଇଥିଲା। ତେଣୁ ଗାଡ଼ି ଘରେ ରଖିବେ ନା ବାହାର କରି ଫାଇନ୍ ଗଣିବେ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ ଗାଡ଼ି ଚାଳକ । ହେଲେ ହାଇକୋର୍ଟରେ ଶୁଣାଣି ପରେ ଆଜି ସେ ଦ୍ୱନ୍ଦ୍ୱ ଦୂର ହୋଇଛି ଓ ସାଧାରଣ ଲୋକେ ଆଶ୍ୱସ୍ତ ହୋଇଛନ୍ତି।