ସାରା ସହର ସଟଡାଉନ ନିଦରେ ଥିଲାବେଳେ ବନ୍ଧୁକ, ଭୁଜାଲି ଦେଖାଇ ଫିଲ୍ମ ଷ୍ଟାଇଲରେ ହେଲା ଅପହରଣ : ପଢନ୍ତୁ ପୁରା ରିପୋର୍ଟ

ଭୁବନେଶ୍ୱର : ଚଳଚ୍ଚିତ୍ରର କୌଣସି ଅପହରଣ ଦୃଶ୍ୟ ପରି ଖଣ୍ଡା ଓ ବନ୍ଧୁକ ଦେଖାଇ, ଆଖିରେ ଲଙ୍କାଗୁଣ୍ଡ ପକାଇ, ଏକ କାର୍‌ରେ ଜୋର ଜବରଦସ୍ତ ଉଠାଇ ନେଲେ ସୁନ୍ଦରପଦା ସ୍ଥିତ ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପର୍‌ଭାଇଜର୍‌ କୈବଲ୍ୟରାଜ ପଟ୍ଟନାୟକ ଓରଫ ଲୁନାଙ୍କୁ । ବାଟରେ ନିର୍ଧୁମ୍‌ ମାଡ଼ ମାରିବା ସହିତ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲାଇଥିଲେ ଓ ଶେଷରେ ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଗାଡ଼ିରୁ ଓହ୍ଲାଇ ଫେରାର୍‌ ହୋଇଯାଇଥିଲେ ଅପହରଣକାରୀମାନେ ।

ନୂଆ ନିୟମ ଶନିବାର ଓ ରବିବାର ଦୁଇ ସଟ୍‌ଡାଉନ୍‌ର ଦ୍ଵିତୀୟ ଦିନ । ବଜାର ବନ୍ଦ । ସକାଳ ପ୍ରାୟ ସାଢ଼େ ୬ଟା ବେଳକୁ କିଛି ଦୁର୍ବୃତ୍ତ ବନ୍ଧୁକ, ଖଣ୍ଡା ଓ ଭୁଜାଲି ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରିନେଲେ । ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ । ସଟ୍‌ଡାଉନ୍‌ ଭିତରେ ବି ଜଣେ ଯୁବକଙ୍କୁ ଅପହରଣ କରି ୫ଘଣ୍ଟା ଧରି ରାଜଧାନୀର ବିଭିନ୍ନ ସ୍ଥାନରେ ଗାଡ଼ି ବୁଲାଇବା ବେଳେ ପୋଲିସ ରାଡାର୍‌କୁ ନଆସିବା ଆଶ୍ଚର୍ଯ୍ୟଚକିତ କରିଛି ସମସ୍ତଙ୍କୁ । ଏ ଘଟଣା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନାନୁସାରେ ରାଜଧାନୀ ଉପକଣ୍ଠ ସୁନ୍ଦରପଦା ହାଇଟେକ୍‌ ପ୍ଲାଜା‌ରେ ଲୁନା ସିକ୍ୟୁରିଟି ସୁପରଭାଇଜର୍‌ ଭାବେ କାମ କରନ୍ତି । ସେହି ଆପାର୍ଟମେଣ୍ଟରେ ରହୁଥିବା ରାଜା ମଲ୍ଲିକ ଦୁଇ ଦିନ ପୂର୍ବରୁ ମଦ୍ୟପାନ କରି ବିଳମ୍ବିତ ରାତିରେ ଫେରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ରାଜା ଆପାର୍ଟମେଣ୍ଟ ନିୟମ ଭଙ୍ଗ କରିଥିବା ନେଇ ଆପାର୍ଟମେଣ୍ଟ୍‌ ସୋସାଇଟିକୁ ଖବର ଦେଇଥିଲେ ଲୁନା ଯେଉଁଥିରେ ରାଜାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା । ଆଜି ସେହି ରାଗରେ ରାଜା ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ହେଲେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ଘଟିଥିବା ଅଭିଯୋଗକୁ ପୋଲିସ ସହଜରେ ବିଶ୍ଵାସ କରିପାରୁ ନାହିଁ ।

ଲୁନାଙ୍କ କହିବାନୁଯାୟୀ ରାଜାର ତିନି ଜଣ ସହଯୋଗୀ ସକାଳୁ ଖଣ୍ଡା ଓ ବନ୍ଧୁକ ମୁଣ୍ଡରେ ଲଗାଇ ଆଖିରେ ଲଙ୍କାଗୁଣ୍ଡ ପକାଇ ଏକ କାର୍‌ରେ ତାଙ୍କୁ ଅପହରଣ କରି ନେଇଥିଲେ । ବାଟରେ ମାଡ଼ ମାରିବା ସହିତ ଆଉ ଗୋଟେ ଗାଡ଼ିରେ ବସାଇଥିଲେ । ବିଭିନ୍ନ ଅଞ୍ଚଳ ବୁଲାଇବା ପରେ ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଛାଡ଼ି ଫେରାର୍‌ ହୋଇଯାଇଥିଲେ । ଘଟଣା ଲୋକଲୋଚନକୁ ଆସିଲା ପରେ ଲୁନା‌ଙ୍କ ପତ୍ନୀ ଯାଇ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଏପରି ଅପହରଣ ଘଟଣା ବିଶ୍ଵାସ ହେଉନାହିଁ । ଲୁନାଙ୍କୁ ପଚରାଉଚରା ଚାଲିଛି । କିନ୍ତୁ ସିସିଟିଭିରେ ସେମିତି କିଛି ନାହିଁ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ବି ଆରମ୍ଭ ହୋଇସାରିଛି । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *