ଅଭିନେତା ଶିବ କୁମାର ବର୍ମା କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନୋରୀ ଡିଜିଜ୍ (COPD) ରେ ଆକ୍ରାନ୍ତ ହୋଇଛନ୍ତି । ଏହା ଏକ ପ୍ରକାରର ଫୁସଫୁସ୍ ରୋଗ ଯେଉଁଥିରେ ସେ ପୀଡ଼ିତ ହୋଇ ଏବେ ହସ୍ପିଟାଲରେ ଭେଣ୍ଟିଲେଟରେ ଅଛନ୍ତି । ସେପଟେ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ଏହି କାରଣରୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ଆର୍ଥିକ ସହାୟତା ପାଇଁ ଗୁହାରୀ କରିଛନ୍ତି । ତେବେ ଅଭିନେତା ଶିବଙ୍କ ଚିକିତ୍ସା ପାଇଁ ସୋସିଆଲ ମିଡ଼ିଆରେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (CINTTA) ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରିଛି ।
CINTTA ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଶିବ କୁମାର ବର୍ମାଙ୍କ ଅବସ୍ଥା ସମ୍ପର୍କରେ ସୂଚନା ଦେଇ ତାଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । CINTTA ଲେଖିଛନ୍ତି ଯେ ସାହାଯ୍ୟର ବହୁତ ଆବଶ୍ୟକତା ଅଛି । CINTTAର ସଦସ୍ୟ ଶିବକୁମାର ବର୍ମା ଗୁରୁତର ଭାବରେ ଅସୁସ୍ଥ ଅଛନ୍ତି । ଶିବକୁମାର ପାଇଁ ଆପଣମାନଙ୍କ ପାଖରେ ଯାହା ବି ସମ୍ଭବ ହେଉଛି ଦାନ କରନ୍ତୁ । CINTTA ଶିବକୁମାରଙ୍କ ବ୍ୟାଙ୍କ ଆକାଉଣ୍ଟର ସୂଚନା ମଧ୍ୟ ଦେଇଛନ୍ତି ।
ତେବେ ସୂଚନା ଅନୁଯାୟୀ ଅଭିନେତା ଶିବ କୁମାରଙ୍କ ଚିକିତ୍ସା ପାଇଁ ପ୍ରାୟ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଅଭିନେତା ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ସଲମାନ ଖାନ, ଅନିଲ କପୁର, ସନି ଦେଓଲ, ବିଦ୍ୟା ବାଲନ ଓ ମନୋଜ ଯୋଶୀଙ୍କ ଭଳି ଅଭିନତା ଓ ଅଭିନେତ୍ରୀଙ୍କୁ ଶିବ କୁମାରଙ୍କୁ ସହାୟତା ପାଇଁ ଆସୋସିଏସନ ନିବେଦନ କରିଛି । ଫିଲ୍ମ “ହଲ୍ଲା ବୋଲ”, “ବାଜି ଜିନ୍ଦଗି କି” ଭଳି ଫିଲ୍ମରେ ଅଭିନୟ କରି ସାରିଛନ୍ତି ଶିବ କୁମାର । ଏହାସହିତ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରି ସେ ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି ।