ସାରା ବିଶ୍ଵ ପାଇଁ ଆଶାର କିରଣ : ଏହି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ତିଆରି କରୁଛି କରୋନା ଟିକା

ସମଗ୍ର ବିଶ୍ଵ କରୋନା ପ୍ରଭାବରେ ପ୍ରଭାବିତ । ସମୁଦାୟ ବିଶ୍ଵରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୩୧ ଲକ୍ଷରେ ପହଞ୍ଚିଲାଣି । ମୃତକଙ୍କ ସଂଖ୍ୟା ୨ ଲକ୍ଷ ୧୨୦୦୦ରୁ ଅଧିକ ହେଲାଣି । ଏକୁଟିଆ ଆମେରିକାରେ ହିଁ କରୋନା ଆକ୍ରାନ୍ତଙ୍କ ମାମଲା ପ୍ରାୟ ୧୦ ଲକ୍ଷ ।

ଯଦିଓ ଭାରତରେ ବି ସଂକ୍ରମଣ ମାମଲା ବଢିବାରେ ଲାଗିଛି କିନ୍ତୁ ଆଜି ସକାଳେ ହିଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଡାକ୍ତର ହର୍ସବର୍ଦ୍ଧନ ଡାଟା ଶେୟାର କରି କହିଛନ୍ତି ଯେ ଭାରତରେ ସଂକ୍ରମିତଙ୍କ ମାମଲା ୧୦.୨ ଦିନରେ ଦ୍ଵିଗୁଣିତ ହେଉଛି ଯେଉଁଟା ପ୍ରଥମରୁ ୭ ଦିନ ଥିଲା । ଭାରତ ପାଇଁ ଏହା ଏକ ନିହାତି ଭାବରେ ଭଲ ଖବର ।

ବ୍ରିଟେନ ତରଫରୁ ଯେତେବେଳେ କୁହାଗଲା ଯେ ଏ ବର୍ଷ କୋଭିଡ଼-୧୯ର ଟିକା ବାହାରିବାର କୌଣସି ସମ୍ଭାବନା ଦିଶୁନି, ଠିକ୍ ସେତିକିବେଳେ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ନାମକ ଭାରତୀୟ ଫାର୍ମା କମ୍ପାନୀ ତରଫରୁ କୁହାଯାଇଛି ଯେ ମଇ-ଜୁନରେ କରୋନା ନିରାକରଣ ପାଇଁ କ୍ଲିନିକାଲ୍ ପରୀକ୍ଷା ତଥା ଉତ୍ପାଦନର କାର୍ଯ୍ୟ ଏକା ସାଙ୍ଗରେ ଆରମ୍ଭ ହେବ ।

ଟିକାର ଉତ୍ପାଦନ ପୁନେ ସ୍ଥିତ ପ୍ଳାଣ୍ଟରୁ ହେଇପାରେ । କିନ୍ତୁ ସର୍ତ୍ତ ହେଉଛି ଏହାର କ୍ଲିନିକାଲ୍ ପରୀକ୍ଷା ସଫଳ ହେବା ଜରୁରୀ । ତେବେ ଯାଇ ସେ ଟିକାକୁ କରୋନା ବିରୋଧରେ ଏକ ସଫଳ ଟିକା ହିସାବରେ ଗ୍ରହଣ କରାଯାଇପାରିବ । ଦେଶର ସ୍ଥିତିକୁ ଦେଖି କମ୍ପାନୀ ତରଫରୁ ଉଭୟ କ୍ଲିନିକାଲ୍ ପରୀକ୍ଷା ଏବଂ ଉତ୍ପାଦନ କରାଯିବ ବୋଲି ଏକ ବିପଦପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପରୀକ୍ଷା ଯଦି ସଫଳ ରହେ ତେବେ କରୋନା ପାଇଁ ଔଷଧ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ବାହାରିଯିବ । ଔଷଧର ମୂଲ୍ୟ ପ୍ରାୟ ୧୦୦୦ ହେଇପାରେ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

ଅକ୍ସଫୋର୍ଡ ୟୁନିଭରସିଟି ବୈଜ୍ଞାନିକମାନେ ମଧ୍ୟ କରୋନା ଟିକା ଉପରେ ଗବେଷଣା କରୁଛନ୍ତି । ଏହି ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଅକ୍ସଫୋର୍ଡ ୟୁନିଭରସିଟି ସହିତ ମିଶି ହିଁ ଏହି ଟିକା ପ୍ରସ୍ତୁତ କରୁଛି । କିନ୍ତୁ ସିରମ୍ କମ୍ପାନୀର ଦାବି ଯେ ସେ ଅତିଶୀଘ୍ର ଟିକା ପ୍ରସ୍ତୁତ କରିବାରେ ସଫଳ ହେବ । କାରଣ ଏହି ସିରମ କମ୍ପାନୀ ଅଧିକ ଟିକା ଓ ତାର ଡୋଜ ପ୍ରସ୍ତୁତି ପାଇଁ ବିଶ୍ଵ ବିଖ୍ୟାତ ।   

Leave a Reply

Your email address will not be published. Required fields are marked *