କ୍ଷୀରର ଉପକାରିତା ବିଷୟରେ ଅଳ୍ପ ବହୁତେ ସମସ୍ତେ ଜାଣନ୍ତି । କ୍ଷୀର ପିଇବା ଦ୍ଵାରା କେବଳ ଶରୀରର ହାଡ଼ ମଜବୁତ ହୁଏନି ବରଂ ସେଥିରେ ଥିବା ଅନେକ ପୋଷକ ତତ୍ତ୍ୱ ଶରୀର ପାଇଁ ଖୁବ୍ ଲାଭଦାୟକ ବି ଅଟେ । ଅନେକ ଅଧ୍ୟୟନ ମଧ୍ୟ ପ୍ରମାଣ କରିଛି ଯେ କ୍ଷୀରର ନିୟମିତ ସେବନ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ବୟସ ଅନୁଯାୟୀ, ପ୍ରତିଦିନ କେତେ ପରିମାଣର କ୍ଷୀର ଜଣକୁ ପିଇବା ଉଚିତ୍ ।
ପ୍ରସବଠାରୁ ବର୍ଷେ ଯାଏଁ :

ଜନ୍ମରୁ ଛଅ ମାସ ପର୍ଯ୍ୟନ୍ତ ପିଲାମାନଙ୍କୁ କେବଳ ସ୍ତନ୍ୟପାନ ଦେବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଏହି ବୟସରେ ଶିଶୁ ଅଧିକ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରେ ଯାହା ସେ କେବଳ ମା କ୍ଷୀରରୁ ପାଇଥାଏ । ବିଶେଷଜ୍ଞଙ୍କ ମତାନୁସାରେ ଶିଶୁକୁ ବର୍ଷେ ଯାଏଁ ଗାଈ କ୍ଷୀର ଦେବା ବି ଉଚିତ୍ ନୁହେଁ ।
ବର୍ଷେରୁ ୩ ବର୍ଷ ପର୍ଯ୍ୟନ୍ତ:

ଏକରୁ ୩ ବର୍ଷ ବୟସର ପିଲାଙ୍କୁ ପ୍ରତିଦିନ ୧୦୦ ରୁ ୨୦୦ ମିଲିଲିଟର କ୍ଷୀର ଖାଇବାକୁ ପଡ଼ିବ । ଫଳରେ ସେମାନେ ଉପଯୁକ୍ତ ପରିମାଣର କ୍ୟାଲସିୟମ ପାଇପାରିବେ । କ୍ଷୀର ବ୍ୟତୀତ, ଆପଣ ପିଲାମାନଙ୍କୁ ଦହି ଏବଂ କ୍ଷୀରରେ ନିର୍ମିତ ସାମଗ୍ରୀ ମଧ୍ୟ ଉପଯୁକ୍ତ ପରିମାଣରେ ଦେଇପାରିବେ ।
୪ରୁ ୧୦ ବର୍ଷ ବୟସ ଯାଏଁ:

୪ ରୁ ୧୦ ବର୍ଷ ବୟସର ପିଲାମାନେ ପ୍ରତିଦିନ ୨୦୦ ରୁ ୩୦୦ ମିଲିଲିଟର କ୍ଷୀର ଖାଇବା ଉଚିତ୍ । ଏହା ସେମାନଙ୍କର ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ସେମାନଙ୍କୁ କ୍ଷୀରରେ ନିର୍ମିତ ଉତ୍ପାଦ ମଧ୍ୟ ଦିଆଯାଇପାରିବ ।
୧୧ ରୁ ୧୮ ବର୍ଷ ପର୍ଯ୍ୟନ୍ତ:
ଏହି ବୟସରେ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ଦ୍ରୁତ ଗତିରେ ହୋଇଥାଏ ଯେଉଁଥିରେ କ୍ଷୀରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତେଣୁ ଏ ବୟସର ପିଲାଙ୍କୁ ପ୍ରତିଦିନ ଅତିକମରେ ୩ କପ୍ କ୍ଷୀର ଦେବା ଜରୁରୀ ।
୧୮ ବର୍ଷରୁ ଅଧିକ ବୟସ୍କ ଲୋକମାନେ ପ୍ରତିଦିନ କେତେ କ୍ଷୀର ପିଇବା ଉଚିତ୍ ?

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ରିପୋର୍ଟ ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବା ଉଚିତ୍ । କାରଣ ଏହି ବୟସରେ ସେମାନଙ୍କୁ ପ୍ରତିଦିନ ୬୦୦ ମିଲିଗ୍ରାମ କ୍ୟାଲସିୟମ୍ ଆବଶ୍ୟକ । ଆପଣ ପ୍ରତିଦିନ ଏକ ଗ୍ଲାସ କ୍ଷୀର ପିଇଲେ ମଧ୍ୟ କୌଣସି ଅସୁବିଧା ନାହିଁ । ଏହାବ୍ୟତୀତ ବି ଆପଣ କ୍ୟାଲସିୟମର ଆବଶ୍ୟକତା ପୂରଣ ପାଇଁ ମସୁର ଡାଲି, ଅନ୍ୟ ଡାଲି କିମ୍ବା ସବୁଜ ପନିପରିବା ଖାଇପାରିବେ ।
ତେବେ ଏହା ଏକ ସାଧାରଣ ସୂଚନା । ଆପଣ କିନ୍ତୁ ସବିଶେଷ ଜାଣିବା ପାଇଁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ ।