ବଜାରରେ ଏବେ ନକଲି ସାନିଟାଇଜର : ଅସଲି ସାନିଟାଇଜର ତେବେ ଚିହ୍ନିବେ କେମିତି ? ପଢନ୍ତୁ ପୁରା ରିପୋର୍ଟ

କରୋନା ମହାମାରୀ ରୋକିବା ନେଇ ସାମାଜିକ ଦୂରତା ଓ ବାରମ୍ବାର ହାତ ସାନିଟାଇଜ କରିବା ବାଧ୍ୟତାମୂଳକ ତଥା ଆବଶ୍ୟକତା ମଧ୍ୟ । ଏପରି ସମୟରେ କିନ୍ତୁ ସାମ୍ନାକୁ ଆସିଛି ନକଲି ସାନିଟାଇଜର ପ୍ରସ୍ତୁତ କରୁଥିବା କମ୍ପାନୀ । ଏହି କମ୍ପାନୀ ବ୍ରାଣ୍ଡେଡ କମ୍ପାନୀ ଭଳି ନକଲି ସାନିଟାଇଜର ପ୍ରସ୍ତୁତ କରୁଥିଲା ଯାହାର ଖୁଲସା ହେଲାପରେ ସ୍ୱାସ୍ଥ୍ୟ ପ୍ରତି ଉଠିଛି ପ୍ରଶ୍ନ । ତେବେ ଜାଣିବା କେମିତି ଯେ କଉ ସାନିଟାଇଜର ଅସଲି ଆଉ କଉଟା ନକଲି ।

ସରକାରୀ ନିର୍ଦ୍ଦେଶନାମା ଅନୁସାରେ କରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟବହାର କରୁଥିବା ସାନିଟାଇଜରରେ ଅନ୍ୟୁନ ୭୦ରୁ ୮୦ ପ୍ରତିଶତ ଆଲକୋହଲ ଥିବା ଉଚିତ୍ । ତେବେ ନକଲି ସାନିଟାଇଜରରେ ଆଲକୋହଲ ମାତ୍ରା ଅଳ୍ପ ଥିବ ନତୁବା ଆଦୌ ନଥିବ । ତେବେ ଏହାକୁ ଘରେ ମଧ୍ୟ ପରୀକ୍ଷା କରିହେବ ।

  • ସମସ୍ତଙ୍କ ଘରେ ଅଟା ତ ଥିବ ! ଗୋଟିଏ ପାତ୍ରରେ କିଛି ଅଳ୍ପ ଅଟା ନେଇ ତା’ ଉପରେ ସାନିଟାଇଜର ପକାନ୍ତୁ । ଏହାପରେ ସେ ସାନିଟାଇଜର ମିଶା ଅଟାକୁ ଚକଟିବାକୁ ଚେଷ୍ଟା କରନ୍ତୁ । ଯଦି ଅଟା ଚକଟି ହୋଇଗଲା ତେବେ ବୁଝିବେ ସାନିଟାଇଜର ଅସଲି ନୁହେଁ । କାରଣ ଅସଲି ସାନିଟାଇଜର ହୋଇଥିଲେ ଅଟା ଚକଟି ହେବନାହିଁ । ସାନିଟାଇଜର ମିଶିଥିଲେ ଅଟା ବିଛାଡ଼ି ହୋଇଯିବ । ନକଲି ସାନିଟାଇଜର ହୋଇଥିଲେ ତାହା ସହଜରେ ଚକଟି ହୋଇଯିବ ।
  • ଦ୍ଵିତୀୟ ପ୍ରକ୍ରିୟାରେ ଆପଣ ଘରେ ଥିବା ଟୟେଲେଟ୍ ପେପର କିମ୍ବା ଟିସୁ ପେପର ବ୍ୟବହାର କରି ସାନିଟାଇଜର ଅସଲି କି ନକଲି ଚିହ୍ନିପାରିବେ । ଗୋଟିଏ ଟିସୁ ପେପର ନେଇ ତାହା ମଝିରେ କଲମ ସାହାଯ୍ୟରେ ଗୋଟିଏ ଛୋଟ ଗୋଲ ବନାନ୍ତୁ । ଏହା ପରେ ତାହା ଉପରେ ଏକ ବୁନ୍ଦା ସାନିଟାଇଜର ପକାଇ ଦିଅନ୍ତୁ । ଯଦି ସ୍ୟାହି ତିଆରି ହୋଇଥିବା ଗୋଲ ଚାରିଆଡ଼େ ବିଛାଡ଼ି ହୋଇଯାଉଛି ଜାଣିବେ ଆପଣଙ୍କ ସାନିଟାଇଜର ନକଲି । ଯଦି ଗୋଲଟି ପୂର୍ବବତ୍ ରହିଲା ଓ ପକେଇଥିବା ସାନିଟାଇଜର କିଛି ସମୟରେ ଶୁଖିଗଲା ତେବେ ଏହା ଅସଲି ।
  • ଅସଲି କି ନକଲି ପରୀକ୍ଷା କରିବା ପାଇଁ ଆଉ ଏକ ସହଜ ଉପାୟ ହେଉଛି ଏକ ପାତ୍ରରେ ଅଳ୍ପ କିଛି ସାନିଟାଇଜର ଢାଳନ୍ତୁ । ତାପରେ ସେଥିରେ ହେୟାର ଡ୍ରାୟର ଚଳାନ୍ତୁ । ହେୟାର ଡ୍ରାୟରରୁ ବାହାରୁଥିବା ପବନରେ ଯଦି ପକାଇଥିବା ସାନିଟାଇଜର ୫ରୁ ୭ ସେକେଣ୍ଡ ଭିତରେ ଶୁଖିଯାଏ ତେବେ ଜାଣିବେ ତାହା  ଅସଲି । କାରଣ ନକଲି ସାନିଟାଇଜର ଏତେ ଶୀଘ୍ର ଶୁଖିବ ନାହିଁ ।

Leave a Reply

Your email address will not be published. Required fields are marked *