ଉତ୍ତର ପ୍ରଦେଶ ରାମପୁରର ଗଞ୍ଜ ଥାନା ଅନ୍ତର୍ଗତ ଏକ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅତି ଲଜ୍ଜାକର ଘଟଣା । ଜଣେ ସ୍ୱାମୀର କଦର୍ଯ୍ୟ ମାନସିକତାକୁ କେବଳ ପ୍ରଶୟ ଦେଉନଥିଲେ ବରଂ ଭାଗିଦାର ସାଜି ଉକ୍ତ କୁକାର୍ଯ୍ୟକୁ କରିବାରେ ତାଙ୍କୁ ସାହାଯ୍ୟ ମଧ୍ୟ କରୁଥିଲେ ପତ୍ନୀ । ଜଣେ ନାବାଳିକାକୁ ସ୍ୱାମୀ କରୁଥିଲେ ଧର୍ଷଣ ଏବଂ ପତ୍ନୀ ସେ ସମୟରେ ଜଗି ରହିଥିଲେ ଘରର ଦ୍ୱାର । ତେବେ ପୀଡ଼ିତାର ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ଘଟଣା ସାମ୍ନାକୁ ଆସିଥିଲା ।
ମିଳିଥିବା ସୂଚନା ଅନୁସାରେ ଉକ୍ତ ଘଟଣାଟି ଗଞ୍ଜ ଫାଣ୍ଡି ଅଞ୍ଚଳରେ ଥିବା ଏକ କଲୋନୀରେ ଘଟିଥିଲା । ହୋଲି ଦିନ ପୀଡ଼ିତା ନାବାଳିକା ଜଣଙ୍କ ତାଙ୍କ ମା’ଙ୍କ ସହିତ ପଡ଼ୋଶୀ ଘରକୁ ଯାଇଥିଲେ ଯେତେବେଳେ କି ପଡ଼ୋଶୀ ତାଙ୍କ ବାପାଙ୍କର ବନ୍ଧୁ ଥିଲେ । ଫେରିବାବେଳେ କିନ୍ତୁ ନାବାଳିକା ମା’ ସହ ନଫେରି ପଡ଼ୋଶୀ ଘରେ ରହିବାକୁ କହିଥିଲେ । ସେପଟେ ପରେ ନେଇ ଛାଡ଼ି ଦେଇ ଆସିବେ ବୋଲି ବି ପଡ଼ୋଶୀ ବନ୍ଧୁଙ୍କ ପତ୍ନୀ ନାବାଳିକାଙ୍କ ମା’ଙ୍କୁ କହିଥିଲେ । ଶେଷରେ ମା’ ନାବାଳିକା ଝିଅକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ ।

ତେବେ କିଏ ଜାଣିଥିଲା ଏମିତି ଏକ ଜଘନ୍ୟ ଘଟଣା ଘଟିଯିବ ବୋଲି ! ପଡ଼ୋଶୀଙ୍କ ପତ୍ନୀ ନାବାଳିକାକୁ ନେଇ ତାଙ୍କ ସ୍ୱାମୀଙ୍କ ସହିତ ଏକ ରୁମ୍ରେ ବନ୍ଦ କରିଦେଇଥିଲେ । ତାଙ୍କ ସ୍ୱାମୀ ସେହି ନାବାଳିକାକୁ ବଳାତ୍କାର କଲେ ଏବଂ ପତ୍ନୀ ଜଗି ରହିଲେ ଘର ଦ୍ଵାର । ଏମିତିକି ଏ ଘଟଣା ନେଇ କାହାକୁ ନକହିବାକୁ ଏବଂ ଚୁପ୍ ରହିବାକୁ ବି ଧମକାଇ ଥିଲେ ପୀଡ଼ିତା ନାବାଳିକାକୁ । ମାତ୍ର ଘଟଣାର ଦୁଇ ଦିନ ପରେ ପୀଡ଼ିତା ସବୁକଥା ତାଙ୍କ ବାପାମା’ଙ୍କୁ କହିଦେଇଥିଲେ ।
ଏହାପରେ ପୀଡ଼ିତାଙ୍କ ମା’ ଥାନାକୁ ଯାଇ ପଡ଼ୋଶୀ ଦମ୍ପତ୍ତି ୟମନ ଖାଁ ଏବଂ ତାଙ୍କ ପତ୍ନୀ ରୁମାନା ବେଗମଙ୍କ ବିରୋଧରେ ଏତଲା ଦେଇଥିଲେ । ଗଞ୍ଜ ଇନସ୍ପେକ୍ଟର ରାମବୀର ସିଂହ ଯାଦବ କହିଛନ୍ତି ଯେ ମାମଲାର ଯାଞ୍ଚ କରାଯାଉଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରାଯିବ ।