ଦିନକୁ ଦିନ ମଣିଷ ଅମଣିଷ ପାଲଟିବାରେ ଲାଗିଛି । ଝିମିଟି ଖେଳରୁ ମହାଭାରତ ହେଲାଭଳି ସାମାନ୍ୟ ଅବୁଝାମଣାରୁ ଜଘନ୍ୟ କାଣ୍ଡମାନ ହେଉଛି । ସେହିପରି ଗୁଜରାଟର ଅହମଦାବାଦରୁ ଲୋମଟାଙ୍କୁରା ମାମଲା ସାମ୍ନାକୁ ଆସିଛି । କେବଳ ଚାହା ତିଆରି କରିବାକୁ ମନା କଲାରୁ ସ୍ଵାମୀ ପତ୍ନୀକୁ ଏମିତି ଯାତନା ଦେଇଛନ୍ତି ଯେ ପୋଲିସ ଶୁଣି ବି ସ୍ତବ୍ଧ । ତେବେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜ୍ଜୁ ହେଇଛି ।
ଘଟଣାଟି ଏହିପରି । ଗୁଜରାଟରେ ହିନ୍ଦୁମାନେ ଶୀତଳା ଅଷ୍ଟମୀ କରନ୍ତି । ସେଦିନ ଘରେ ଚୁଲି ଜଳେ ନାହିଁ ଓ ପୂର୍ବଦିନର ରନ୍ଧା ଖାଦ୍ଯ ଖିଆ ଯାଇଥାଏ । କିନ୍ତୁ ଜଣେ ମହିଳାଙ୍କ ଶାଶୁ ତାଙ୍କୁ ଶୀତଳା ଅଷ୍ଟମୀ ଦିନ ଚାହା ମାଗିଲେ । ମାତ୍ର ପୂଜାର ବିଧି ଅନୁସାରେ ଚୁଲି ଲାଗିବ ନାହିଁ କହିବାରୁ ଶାଶୁ-ବୋହୁ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା । ଏ କଥା ଶୁଣି ସ୍ଵାମୀ ଜଣକ ମହିଳାଙ୍କୁ ମାଡ଼ ମାରିଲେ । ବାହାରୁ ଚାହା ଆଣିଦେବି କହି ମହିଳା ବାହାରକୁ ଗଲେ ଏବଂ ଶାଶୁ ଓ ସ୍ଵାମୀ ତାଙ୍କୁ ପିଛା କରି ତାଙ୍କ ଉପରକୁ ପଥର ଫିଙ୍ଗିଲେ । ପୁଣି ଟାଣି ଟାଣି ଆଣି ଘର ଭିତରେ ଖୁବ୍ ପିଟିଲେ ।
ସେତିକିରେ ସରିଲାନି ଜୁଲମ । ଏତେ ମାଡ଼ ମାରିଲା ପରେ ବି ମନ ଶାନ୍ତି ହେଲାନି ଯେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ସ୍ଵାମୀ ଜଣକ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଲେ । ମହିଳା ଜଣକ ସାରା ଦିନ ଯନ୍ତ୍ରଣାରେ ଛଟପଟ ହେଲାପରେ ସହିବା ସୀମା ଟପି ଯାଇଥିଲା ଓ ଶେଷରେ ସେ ଥାନାକୁ ଗଲେ । ଘଟଣା ପରଦିନ ସ୍ଵାମୀ ଓ ଶାଶୁଙ୍କ ବିରୋଧରେ ଅଭିଯୋଗ ନେଇ ସ୍ଥାନୀୟ ଥାନାରେ ପହଞ୍ଚିଲେ ମହିଳା ।
ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ଏ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ମୋ ପ୍ରତି ଅନେକ ଅତ୍ୟାଚାର ହୋଇଛି ମାତ୍ର ବାପାମାଆ ବୁଝାଇସୁଝାଇ ଶାଶୁଘରକୁ ପଠାଇ ଦିଅନ୍ତି । କିନ୍ତୁ ଏଥର ସ୍ଵାମୀଙ୍କ ଅତ୍ୟାଚାର ସବୁ ସୀମା ଟପି ଯାଇଥିଲା ବୋଲି ସେ ପୋଲିସର ଆଶ୍ରୟ ନେଇଛନ୍ତି ।