ହଳେ ଦମ୍ପତି ଜିଅନ୍ତା ଜଳିଗଲେ : ଅସାବଧନତା ହେତୁ କିମ୍ବା ଅନ୍ୟ କେଉଁ କାରଣ, ତାହା ଏବେ ଅସ୍ପଷ୍ଟ

ଝାରସୁଗୁଡ଼ା ବ୍ରଜରାଜନଗରରୁ ଏକ ଅଭାବନୀୟ ଘଟଣାର ସୂଚନା ମିଳିଛି । ଖବର ଅନୁଯାୟୀ ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରାମପୁର ପଞ୍ଜାବୀ ଧୌଡ଼ାରେ ନିଆଁରେ ଜିଅନ୍ତା ଜଳି ଯାଇଛନ୍ତି ହଳେ ଦମ୍ପତ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଘର ବାହାରେ କୋଇଲା ଚୁଲି ଲଗାଉଥିବା ବେଳେ ସ୍ତ୍ରୀ ଦେହରେ ନିଆଁ ଲାଗିଲା ଓ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀ ମଧ୍ୟ ସେ ନିଆଁରେ ଜଳି ଗଲେ ।

ଖବର ମୁତାବକ ଏ ଅଭାବନୀୟ ଦୁର୍ଘଟଣା ଆଜି ସକାଳ ପ୍ରାୟ ୮:୩୦ ମିନିଟରେ ଘଟିଛି । ଉକ୍ତ ନିଆଁରେ ଜିଅନ୍ତା ଜଳି ଦମ୍ପତ୍ତି ଦୁହେଁ ମୃତ୍ୟୁବରଣ କରିଛନ୍ତି । ତେବେ ମୃତକଙ୍କ ନାମ ଗିରିବର ଦାସ ଓ ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା । ପଡ଼ୋଶୀମାନଙ୍କ କହିବାନୁସାରେ ଗିରିବରଙ୍କ ସ୍ତ୍ରୀ ଚୁଲି ଟେକି ଘରକୁ ନେବା ସମୟରେ ପିନ୍ଧିଥିବା ତାଙ୍କ ଲୁଗାରେ ନିଆଁ ଧରିଲା ।

ପିନ୍ଧା ଲୁଗାରେ ନିଆଁ ଦେଖି ସେ ଭୟରେ ଧରିଥିବା ଚୁଲିକୁ ଫିଙ୍ଗି ଦେଇଥିଲେ ହେଲେ ସେତେବେଳକୁ ନିଆଁ ତାଙ୍କ ଦେହକୁ ଧରିସାରିଲାଣି । ସ୍ଵାମୀ ଗିରିବର ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟାରେ ନିଆଁ ଗିରିବରଙ୍କୁ ମଧ୍ୟ ନିଜ ଆୟତକୁ ନେଇଯାଇଥିଲା ବୋଲି ପଡ଼ୋଶୀମାନେ କହୁଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦମ୍ପତ୍ତି ଦୁହିଁକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଥିବା ସ୍ଥଳେ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *