ଆଜିଠାରୁ ଆରମ୍ଭ ହେଲା ମାସ୍କ ଅଭିଯାନ : ଏଣିକି ମାସ୍କ ନପିନ୍ଧି ଧରାପଡ଼ିଲେ ଗଣିବାକୁ ପଡ଼ିବ ଦୁଇଗୁଣା ଜରିମାନା

କରୋନାର ଦ୍ଵିତୀୟ ତରଙ୍ଗରେ ଦେଶର ଚାରିଆଡ଼େ ପଜିଟିଭ ମାମଲା ବଢିବଢି ଚାଲିଛି । ଏ ସମୟରେ ଓଡ଼ିଶା ସରକାର ବି କରୋନା ସଂକ୍ରମଣ ରୋକିବାକୁ କଡ଼ା କଟକଣା ଜାରି କରିଛନ୍ତି । କିଛି ଦିନ ହେବ ରାଜ୍ୟରେ ଏହି ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କେତେକ ସ୍ଥାନରେ ତ ପରିସ୍ଥିତି ବହୁତ ଖରାପ ହେବାରେ ଲାଗିଛି, ଫଳରେ ଅମାନିଆଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ମାସ୍କ ପିନ୍ଧୁ ନଥିବା ଅମାନିଆଙ୍କ ପାଇଁ ଜରିମାନା ରାଶି ହୋଇଯାଇଛି ଦୁଇ ଗୁଣା ।

ନୂଆ ଗାଇଡ଼ଲାଇନ ଅନୁସାରେ ଏଣିକି ବିନା ମାସ୍କରେ କୌଣସି ବ୍ୟକ୍ତି ଧରାପଡ଼ିଲେ ଦେବାକୁ ପଡ଼ିବ ୨୦୦୦ ଟଙ୍କା ଜରିମାନା । ଏହାପରେ ବି ଯଦି ଉକ୍ତ ବ୍ୟକ୍ତି ସମାନ ଭୁଲ କରି ଧରାପଡ଼େ ତେବେ ଗଣିବାକୁ ହେବ ୫୦୦୦ ଟଙ୍କା । ତେବେ ସୂଚନାଥାଉ ଯେ ଏହା ପୂର୍ବରୁ ପ୍ରଥମ ଏବଂ ଦ୍ଵିତୀୟ ଥର ପାଇଁ ଜରିମାନା ଟଙ୍କା ଥିଲା ୧୦୦୦ ।

ତେବେ ଆଜିଠାରୁ ଏହି ନୂଆ ନିୟମ ଲାଗୁ ଯାହା ଆଗାମୀ ୧୪ ଦିନ ଯାଏଁ ଚାଲିବ । ଏହାସହିତ ସରକାର ସମସ୍ତ ମାଆମାନଙ୍କୁ ଅପିଲ କରିଛନ୍ତି ଯେ ସେମାନେ ଘରେ ଜଗନ୍ତୁ, ପ୍ରଶାସନ ବାହାରେ ଜଗିବ । ଘରର ପୁରୁଷ ଏବଂ ପିଲାମାନେ ଯେପରି ବିନା ମାସ୍କରେ ଘର ବାହାରକୁ ନଯାଆନ୍ତି ସେନେଇ ମାଆମାନେ ସଜାଗ ରୁହନ୍ତୁ ।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କୋଭିଡ୍ ନିୟମ ପାଳନ ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସେ ସ୍ପଷ୍ଟ କରିଛନ୍ତି କିପରି କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କ ଘାତକ ହୋଇପାରେ । ମାସ୍କକୁ ସାଥୀ କରିପାରିଲେ ଯେ ଲକଡାଉନର ଆବଶ୍ୟକତା ପଡ଼ିବନି ବୋଲି ସତର୍କ କରେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ କେବଳ ଜନସାଧାରଣ ନୁହେଁ ଯେଉଁମାନେ କରୋନା ଟିକା ନେଇସାରିଛନ୍ତି ସେମାନେ ବି ମାସ୍କ ପିନ୍ଧିବେ ବୋଲି ସରକାର ଚେତେଇ ଦେଇଛନ୍ତି । ‌ଏହାସହିତ ଜରିମାନା ଆଦାୟ କଡ଼ାକଡ଼ି ପାଇଁ ପୋଲିସ‌ଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସୁପ୍ରିମୋ ।

Leave a Reply

Your email address will not be published. Required fields are marked *