ଭୁବନେଶ୍ୱର : ସବୁ ଘରୋଇ ତଥା ସରକାରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ମୁଖିଆ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କଲାବେଳେ ଯଦି କରୋନା ଯୋଦ୍ଧାଙ୍କର ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ରୋଗୀଙ୍କୁ ଚିକିତ୍ସା କଲାବେଳେ ଯଦି କୌଣସି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ଚାଲିଯାଏ, ତେବେ ଉକ୍ତ ବ୍ୟକ୍ତିର ଅବସର ଯାଏ ତାଙ୍କ ପରିବାର ଲୋକଙ୍କୁ ପୂରା ଦରମା ବି ମିଳିବ । କେବଳ ଏତିକି ନୁହେଁ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ । ଏମିତିକି ଏପରି ଏକ ମାନବ ସେବା ପାଇଁ ପ୍ରାଣ ଦାନ ପାଇଁ ପୁରସ୍କାର ଜାତୀୟ ଦିବସରେ ପ୍ରଦାନ କରାଯିବ ।
କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବାବେଳେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାଇଲେ ସେମାନଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । କେନ୍ଦ୍ରର ଏହି ଅଭିଯାନରେ ଓଡ଼ିଶା ସରକାର ମଧ୍ୟ ସାମିଲ ହୋଇଛନ୍ତି ଓ ପ୍ରାଣ ହରାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ପୁରା ଦରମା ଦେବେ ବୋଲି କହିଛନ୍ତି । ଏହାସହିତ ବିଭିନ୍ନ ସ୍ଥାନରେ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ କଡ଼ା ନିନ୍ଦା କରି ଆକ୍ରମଣକାରୀଙ୍କୁ ଚରମ ଚେତାବନୀ ବି ଦେଇଛନ୍ତି ।
ନବୀନ କହିଛନ୍ତି ଯେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସହିତ ସମାନ । ଡାକ୍ତରଙ୍କୁ ଆକ୍ରମଣ କଲେ କିମ୍ବା କାର୍ଯ୍ୟରେ ବାଧା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆକ୍ରମଣକାରୀଙ୍କ ବିରୋଧରେ NSA ମଧ୍ୟ ଲାଗୁ କରାଯିବ । କରୋନା ଯୋଦ୍ଧାଙ୍କ ପଛରେ ସାରା ରାଜ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜାଣି ରଖିବା ଉଚିତ ଯେ NSA ସାଧାରଣତଃ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଲୋକଙ୍କ ପାଇଁ ଉଦିଷ୍ଟ ।