ସଂସ୍କାର: ରାଜସ୍ଥାନର କୋଟାରେ ଜଣେ ୨୨ ବର୍ଷୀୟ ବଳାତ୍କାର ଅଭିଯୁକ୍ତ ଯୁବକଙ୍କୁ ବାନ୍ଧି ମାଡ଼ ମାରିବା ସହିତ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଯୁବକଜଣଙ୍କୁ ନିଜର ପରିସ୍ରା ପିଇବାକୁ ମଧ୍ୟ ବାଧ୍ୟ କରାଯାଇଥିଲା। ଯାହାକି ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଦୂର ସମ୍ପର୍କୀୟ ଦାଦା ଏବଂ ଖୁଡି ଯୁବକଙ୍କ ପାଖରେ ଥିବା କିଛି ଟଙ୍କା ଏବଂ ଯୁବକଙ୍କର ଦାମୀ ମୋବାଇଲ ଫୋନ ଛଡାଇ ନେଇଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ଗତ ସେପ୍ଟେମ୍ବର ୧୪ ତାରିଖର ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି।
ଜାତୀୟ ଗଣ ମାଧ୍ୟମ ଇଣ୍ଡିଆ ଟୁଡେ ର ରିପୋର୍ଟ ଅନୁଯାୟୀ, ଘଟଣାର ଦୁଇ ଦିନ ପରେ ଯୁବକଙ୍କ ଦୂର ସମ୍ପର୍କୀୟ ଦାଦା ଏବଂ ଖୁଡି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁତୁରା ସେମାନଙ୍କ ଘରେ ପଶି ଖୁଡିଙ୍କୁ ବଳାତ୍କାର କରିଥିଲା। ତେବେ ସମ୍ପର୍କୀୟଙ୍କ ଅଭିଯୋଗରେ ପୋଲିସ ଯୁବକଙ୍କୁ ଗିରଫ କରି ଜେଲରେ ରଖିଛି।
ତେବେ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କ ବଡ ଭାଇ ଏହି ମାମଲାରେ ପୋଲିସକୁ ଏକ ଭିନ୍ନ କାହାଣୀ କହିଛନ୍ତି। ଯୁବକଙ୍କ ଭାଇ ଦାବି କରିଛନ୍ତି ଯେ କୋଟା ଜିଲ୍ଲାର ଜଗପୁରା ଗ୍ରାମରେ ରହୁଥିବା ତାଙ୍କ ସମ୍ପର୍କୀୟ ଦାଦା-ଖୁଡି ତାଙ୍କ ସାନ ଭାଇଙ୍କୁ ସେପ୍ଟେମ୍ବର ୧୪ ତାରିଖରେ ତାଙ୍କ ଘରକୁ ଡାକିଥିଲେ। ତାପରେ ସମ୍ପର୍କୀୟ ଦାଦା ଆଉ ଖୁଡି ତାଙ୍କ ସାନ ଭାଇର ହାତ ଓ ଗୋଡ଼କୁ ବାନ୍ଧିଥିଲେ, ତାକୁ ତାର ପରିସ୍ରା ପିଆଇଥିଲେ ଏବଂ ପରେ ତାକୁ ରାତିସାରା ବାନ୍ଧି ମାଡ଼ ମାରିଥିଲେ। ଅନ୍ୟପଟେ ଯୁବକଙ୍କର ବଡ଼ ଭାଇ ଅଭିଯୋଗ କରିଛନ୍ତି ଯେ ସମ୍ପର୍କୀୟ ଦାଦା-ଖୁଡି ତାଙ୍କ ସାନ ଭାଇର ଦାମୀ ମୋବାଇଲ୍ ଫୋନ୍, ପରିଚୟ ପତ୍ର ଏବଂ ପ୍ରାୟ ନଗଦ ୨୨ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି। ତେବେ ଅଭିଯୁକ୍ତ ଯୁବକଙ୍କ ଦାଦା ଏବଂ ଖୁଡି ପୁରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିବା ଅଭିଯୋଗ ହୋଇଛି। ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ୍ ର ରୂପ ନେଇଛି। ଅନ୍ୟପଟେ ଭାଇରାଲ ଭିଡିଓ ଆଧାରରେ ପୋଲିସ ଏହି ଦମ୍ପତି ଏବଂ ଅନ୍ୟ ଜଣେ ଯୁବକଙ୍କ ବିରୋଧରେ ମାମଲା ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଛି।