ଗ୍ୟାଙ୍ଗଷ୍ଟର ସେକ୍ ହାଇଦର୍ ଫେରାର ହେବା ପଛରେ ହାତ ରହିଛି ଏକ ଅଳ୍ପ ବୟସ୍କା ଯୁବତୀଙ୍କର । ତେବେ ଗିରଫ ହୋଇଥିବା ୧୯ ବର୍ଷୀୟ ଅର୍ଚ୍ଚନା ପରିଡ଼ା ଜେଲ୍ ଭିତରେ ହାଇଦରକୁ ଭେଟିଥିବା ଅଭିଯୋଗ ହୋଇଛି । ଏମିତିକି ଜେଲ ଭିତରେ ସ୍ଵଇଚ୍ଛାରେ ହାଇଦର୍ ସହିତ ଶାରିରୀକ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଯୁବତୀକୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ମିଳୁଥିଲା ବୋଲୁ ଜଣାପଡ଼ିଛି । ଏହାପରେ ଆଇନକାନୁନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।
ସେପଟେ ଶୁଣିବାକୁ ମିଳିଛି ଯେ ୧୯ ବର୍ଷର ଅର୍ଚ୍ଚନା ପ୍ରେମରେ ୬୦ ବର୍ଷର ହାଇଦର ପାଗଳ ହୋଇଯାଇଥିଲା । କେବଳ ଏହି ଅର୍ଚ୍ଚନା ପାଇଁ ହାଇଦର୍ ଫେରାର ହୋଇଯାଇଥିଲା । କେବଳ ସେତିକି ନୁହେଁ ଚୁଟିରେ କଳା ବୋଳି ହୋଇ ଦାଢି କାଟି ବୟସ କମ୍ କରିବାର ଚେଷ୍ଟା ବି କରିଥିଲା ହାଇଦର୍ । ଏହାସହିତ ଏକ ଗଣମାଧ୍ୟମ ଖୁଲାସା କରିଛି ଯେ ହାଇଦର୍ର ପୁଅ ଆଝାରୁଦ୍ଦିନ ଜେଲ୍କୁ ଯୁବତୀମାନଙ୍କୁ ପଠାଇବାରେ ସହଯୋଗ କରୁଥିଲା ।
ମିଳିଥିବା ସୂଚନା ଅନୁସାରେ ହାଇଦର୍ର ପୁଅ ଆଝାରୁଦ୍ଦିନ ଡିସେମ୍ବର ୫ ତାରିଖ ଦିନ ଭୁବନେଶ୍ୱରରୁ କେତେଜଣ ଅଳ୍ପ ବୟସିଆ ଯୁବତୀଙ୍କୁ ନେଇ ସମ୍ବଲପୁର ଜେଲ୍ ଯାଇଥିଲା । ହାଇଦର ସାମ୍ନାରେ ଏହି ଯୁବତୀଙ୍କୁ କୁଆଡ଼େ ପରେଡ୍ ବି କରାଯାଇଥିଲା । ଯିଏ ପସନ୍ଦ ଆସୁଥିଲା ତାକୁ ସେ ଗେହ୍ଲି ଡାକୁଥିଲା ଏବଂ ଜେଲ ଜୀବନକୁ ରଙ୍ଗୀନ କରିବା ପାଇଁ ତାକୁ ଯୋଗାଇ ଦିଆଯାଇଥିଲା ରୁମ । ଏହି କ୍ରମରେ ଅର୍ଚ୍ଚନାକୁ ଭେଟିଥିଲା ହାଇଦର୍ । ଏହାପରେ ଏସ୍ସିବି ମେଡ଼ିକାଲରେ ହାଇଦରକୁ ଭେଟିବା, ତା ନିର୍ଦ୍ଦେଶ ଆଉ ଆଦେଶ ଠିକଣାରେ ପହଞ୍ଚାଇବା ଏବଂ କଥାବାର୍ତ୍ତା ପାଇଁ ମୋବାଇଲ ଯୋଗାଇ ଦେବା କାର୍ଯ୍ୟ କରୁଥିଲା ଅର୍ଚ୍ଚନା । କାଳେ ଏଥିପାଇଁ ଅର୍ଚ୍ଚନା ନେଉଥିଲା ମୋଟା ଅଙ୍କର ଟଙ୍କା ।
ହାଇଦର୍ ଗିରଫ ହେବା ଖବର ଶୁଣି କିନ୍ତୁ ଅର୍ଚ୍ଚନା କାନ୍ଦି ପକାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ହାଇଦର୍ ଜେଲ ଭିତରେ ଥାଇ ବି ଏସବୁ କରୁଥିଲା ଯେଉଁଥିପାଇଁ ଜେଲ୍ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି । କେବଳ ଅର୍ଚ୍ଚନା ନୁହେଁ ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀ ମଧ୍ୟ ହାଇଦରକୁ ଭେଟିଥିଲେ । ଏପରିକି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ହାଇଦର୍ ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ସଂପର୍କ ଥିଲା । ହାଇଦର୍ ଫେରାର ବେଳେ ଏମାନେ ତାସହ ଯୋଗାଯୋଗରେ ଥିଲେ। କାହା ମାଧ୍ୟମରେ ଅର୍ଚ୍ଚନା ସହ ୩ ଯୁବତୀ ହାଇଦର୍ ଲିଙ୍କରେ ଆସିଥିଲେ ଏବଂ ଏହି ଯୁବତୀମାନଙ୍କ ଭୂମିକା କ’ଣ ଥିଲା ତା’ର ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଯେଉଁ କାରରେ ହାଇଦର୍ ଖସିଯାଇଥିଲା, ସେହି କାରକୁ ଆଣି ତାର ମାଲିକାନାକୁ ନେଇ କଟକ ପୋଲିସ ଜାରିରଖିଛି ଖୋଳତାଡ଼ ।