ଖାଉଥିବା ବେଳେ ବଡ଼ ଭାଇକୁ ହାଣିଦେଲା ସାନ ଭାଇ ; କାରଣ ଅସ୍ପଷ୍ଟ

ସଂସ୍କାର : ବଡ଼ ଭାଇ ପାଇଁ କାଳ ସାଜିଲା ସାନ ଭାଇ। ବଡ଼ ଭାଇକୁ ଖଣ୍ଡ ଖଣ୍ଡ କରି କାତିରେ ହାଣିଦେଲା ସାନ ଭାଇ। ମାତ୍ର କେଇ ମିନିଟ୍ ରେ ବୁଡ଼ିଗଲା ଗୋଟିଏ ସୁନାର ସଂସାର । ବଡ଼ ଭାଇ ଭାତ ଥାଳି ପାଖରେ ବସିଥିବା ବେଳେ ପଛପଟୁ ମର୍ମନ୍ତୁତ ଆକ୍ରମଣ କଲା ସାନ ଭାଇ। ଏଭଳି ଏକ ଦୁର୍ଘଟଣା ଘଟିଛି ଗଂଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜଗତି ସାହି ଗ୍ରାମରେ।

ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତି ସାହିର କିଶୋର ପାଣିଗ୍ରାହୀ। ତାଙ୍କୁ ୫୬ ବର୍ଷ ହୋଇଥିଲା। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ମାତ୍ର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜମି ବିବାଦକୁ ନେଇ ଏହି କାଣ୍ଡ ସୃଷ୍ଟି ହୋଇଛି। ଜମି ଓ ସମ୍ପତି ଭାଗ କରିବା ପାଇଁ ବହୁତ କାଳରୁ କିଶୋର ପାଣିଗ୍ରାହୀଙ୍କ ସାନ ଭାଇ ରାଧାଶ୍ୟାମ ତାଙ୍କୁ କହୁଥିଲେ। କିନ୍ତୁ କିଶୋର ଚାହୁଁନଥିଲେ ଯେ, ଦୁଇ ଭାଇ ଅଲଗା ହୁଅନ୍ତୁ ବୋଲି।

ମିଳିଥିବା ସୂଚନା ମୁତାବକ, ବୁଧବାର କିଶୋର ଘରେ ଖାଉଥିଲେ। ଏହି ସମୟରେ ପଡ଼ୋଶୀ ଘରେ ରହୁଥିବା କିଶୋରଙ୍କ ସାନ ଭାଇ ରାଧାଶ୍ୟାମ ଆସି ହଠାତ ଏକ କାତିରେ କିଶୋରଙ୍କ ମୁଣ୍ଡ ଉପରେ ଚୋଟ ପକାଇ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କୋଦଳା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *