ସଂସ୍କାର : ଓଡ଼ିଶାର ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ରାଜକୋଷରୁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ କୋଟି କୋଟି ଟଙ୍କା ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହେଉଥିଲେ ସୁଦ୍ଧା ବାରମ୍ବାର ରୋଗୀଙ୍କୁ ଅବହେଳା କରାଯାଉଥିବାର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ତ ଆଉ କେଉଁଠି ରାସ୍ତା ନଥିବାରୁ ରୋଗୀ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ପରିବାର ଲୋକେ ବାଧ୍ୟ ହୋଇ ଖଟିଆ ମାଧ୍ୟମରେ ରୋଗୀକୁ ବୋହି ଡାକ୍ତରଖାନା ଆଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ।
ରାଜ୍ୟ ଗଣମାଧ୍ୟମର ସୂଚନା ଅନୁସାରେ, ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟିର ବେଲଗୁଡା ଗ୍ରାମର ସମ୍ବାରି କୀର୍ସାନିଙ୍କ ଦେହ ଅସୁସ୍ଥ ହୋଇଥିଲା। କାଳକ୍ରମେ ସମ୍ବାରିଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଅନ୍ୟପଟେ ଗ୍ରାମରେ ମୋବାଇଲ ସେବା ନଥିବାରୁ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା।
ସେହିପରି ଗାଁକୁ ଭଲ ରାସ୍ତା ନଥିବାରୁ ଘାଟି ରାସ୍ତାଦେଇ ଏକ ଝୁଡି ସାହାଯ୍ୟରେ କାଉଡି ତିଆରି କରି କାନ୍ଧେଇ କାନ୍ଧେଇ ଦୀର୍ଘ ୧୨ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ପରିବାର ଲୋକେ। ଆଉ ୧୨ କିଲୋମିଟର ପରେ ରୋଗୀଙ୍କୁ ନେଇ ଡାକ୍ତରଖାନାରେ ପହଁଚିଥିଲେ ପରିବାର ଲୋକେ।
ଏହାପରେ ମୁଦୁଲିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବାରିଙ୍କୁ ମୁଦୁଲିପଡା ଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ପଠାଇ ଦେଇଥିଲେ । ସମ୍ବାରି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଚିକିତ୍ସିତ ହେଉଛନ୍ତି ଓ ସୁସ୍ଥ ଥିବା ଜଣାପଡିଛି। ତେବେ ପୁଣିଥରେ ଏଭଳି ରୋଗୀଙ୍କୁ ଅବେହଳିତ କରାଯାଉଥିବାର ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟରେ ଏହି ଘଟଣାକୁ ନେଇ ଆଲୋଚନା ଜୋର ଧରିଛି।