କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଲା ଅଢୁଆ, ଯାଞ୍ଚ ହେବ ସମସ୍ତ ସାର୍ଟିଫିକେଟ୍, ଉଚ୍ଚଶିକ୍ଷା ବିଭାଗ ଗଠନ କଲା ଟିମ୍…

ସଂସ୍କାର : କଲେଜ ଛାତ୍ରଛାତ୍ରୀ ଯିବେ ଜେଲ୍। ଯଦି ସାର୍ଟିଫିକେଟକୁ ନେଇ କିଛି ଭୁଲ ତଥ୍ୟ ଦିଅନ୍ତି ତେବେ କଲେଜ ପଢୁଆ ଝିଅ ହୁଅନ୍ତୁ କିମ୍ବା ପୁଅ , ଜେଲ୍ ଯିବାରୁ କେହି ସେମାନଙ୍କୁ ରୋକି ପାରିବେ ନାହିଁ। ତେବେ ଏକଥା ଆମେ କହୁନୁ, ଆମ ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି ଏକ ସୂଚନା ପ୍ରକାଶ କରାଯାଇଛି।ବର୍ତ୍ତମାନ ଠାରୁ ଫେକ୍ ସାର୍ଟିଫିକେଟର ସାହାରା ନେଇ ଯେଉଁ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବେ ସେମାନଙ୍କୁ ଜେଲର ଚାରିକାନ୍ଥ ଦେଖିବାକୁ ପଡିବ। ଫେକ୍ ସାର୍ଟିଫିକେଟରେ ଧରାପଡ଼ିଲେ ଯିବେ ଜେଲ୍।

ରାଜ୍ୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ନିକଟରେ କିଛି ଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ଫିଟ୍ ଥାଇ ନିଜକୁ ଦିବ୍ୟାଙ୍ଗ ବୋଲି ଦର୍ଶାଇଥିଲେ । କାହାର ହାତ, କାହାର ଗୋଡ଼, କାହାର ଆଖି ଆଉ କାହାର କାନ ଖରାପ୍ ଥିବା ଦର୍ଶାଇ ଫେକ୍ ସାର୍ଟିଫିକେଟ୍ ହାତେଇଥିଲେ । ଫଳରେ ଏପରି ଠକମାନେ ନକଲି ସାର୍ଟିଫିକେଟ ଦେଖାଇ କଲେଜରେ ସହଜରେ ନାମ ଲେଖାଇବାରେ ସକ୍ଷମ ହୋଇଥିଲେ । ଏମାନଙ୍କର ୪୦ ପ୍ରତିଶତ ମାର୍କ ରହିଥିଲେ ହେଁ କଲେଜରେ ପାଠ ପଢିବା ପାଇଁ ଆଡମିଶନ ନେଇ ଯାଇଥିଲେ। ସେପଟେ ୮୦ ପ୍ରତିଶତ ମାର୍କ ରଖି ମଧ୍ୟ ଅନେକ ଛାତ୍ରଛାତ୍ରୀ କଲେଜରେ ଏକ ସିଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା।

ତେବେ ନିକଟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ସାର୍ଟିଫିକେଟରେ ନାମଲେଖା ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକ ଛଡ଼ା ରାଜ୍ୟର ଅନ୍ୟ କଲେଜଗୁଡ଼ିକରେ ମଧ୍ୟ ଏହି କାରନାମା ଚାଲିଥାଇପାରେ । ତେଣୁ ସିଡିଏମଓଙ୍କ ଦ୍ୱାରା ୨୦୧୯-୨୦, ୨୦୨୦-୨୧୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଇଥିବା ପିଲାମାନଙ୍କର ପ୍ରମାଣପତ୍ର ଯାଞ୍ଚ ହେବ । ଯେଉଁମାନେ ଧରାପଡ଼ିବେ, ସେମାନଙ୍କ ବିରୋଧରେ ଏତଲା ଦାୟର କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଭଦ୍ରକ ସ୍ୱୟଂଶାସିତ କଲେଜରେ ଫେକ୍ ସାର୍ଟିଫିକେଟରେ ନାମଲେଖା ଘଟଣାର ପର୍ଦ୍ଦାଫାସ ହେବା ପରେ କିଛି ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ତଦନ୍ତ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *