ସଂସ୍କାର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି -20 ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଏଥି ସହିତ ଟିମ୍ ଇଣ୍ଡିଆ 191 ରନ 6 ୱିକେଟ୍ ହରାଇ କରିପାରିଥିଲା। ତେବେ ସୂର୍ଯ୍ୟ କ୍ରିଜକୁ ଆସିବା ମାତ୍ରେ ନ୍ୟୁଜିଲ୍ୟାଣ୍ଡର ବୋଲିଂ ଲାଇନ୍ ଅପ୍ ଧ୍ୱଂସ ବିଧ୍ୱଂସ ହୋଇଥିଲା। ରିଷଭ ପନ୍ତ ଆଉଟ୍ ହେବା ପରେ ପଡ଼ିଆକୁ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ। ଆଉ ସେ ଟିମ୍ ର ରନକୁ ଦ୍ରୁତ ବେଗରେ ଆଗକୁ ନେଇଥିଲେ। ତାଙ୍କ ଇନିଂସ ଯୋଗୁଁ ପାଣ୍ଡ୍ୟା ବାହିନୀ କିୱି ଦଳ ସମ୍ମୁଖରେ 192 ରନର ଟାର୍ଗେଟ ରଖିଥିଲା। ଏଥି ସହିତ ପ୍ରଥମ ଇନିଂସ ପରେ ସୂର୍ଯ୍ୟ ତାଙ୍କ ବିସ୍ଫୋରକ ଇନିଂସ ଏବଂ କ୍ୟାପଟେନ ହାର୍ଦିକଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଦ୍ୱିତୀୟ ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ କରି ଏକ ଦମଦାର୍ ଶତକ ହାସଲ କରିଛନ୍ତି। ସେ ଟିମ୍ ସାଉଥୀ, ମିଲ୍ସ ଏବଂ ଲକି ଫର୍ଗୁସନଙ୍କ ବଲରେ ଖୁବ୍ ରନ ସଂଗ୍ରହ କରିଥିଲେ।
ଏହି ସମୟରେ ପ୍ରଥମ ଇନିଂସ ବିରତି ପରେ ସୁର୍ଯ୍ୟ କହିଥିଲେ ଯେ, “ଟି20 ଫର୍ମାଟରେ ଏକ ଶତକ ହାସଲ କରିବା ସର୍ବଦା ସ୍ୱତନ୍ତ୍ର କିନ୍ତୁ ସେହି ସମୟରେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବା ମୋ ପାଇଁ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ଥିଲା। ହାର୍ଦ୍ଦିକ ମୋତେ 18 କିମ୍ବା 19 ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ କହିଥିଲେ। ଆଉ ରନ୍ 185+ କରିବାକୁ କହିଥିଲେ। 16 ତମ ଓଭର ଶେଷ ହେବା ପରେ, ଏହାକୁ ଗଭୀର ଭାବରେ ନେବା ବିଷୟରେ ଆମେ କଥାବାର୍ତ୍ତା ହୋଇଥିଲୁ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଦଳ ଏଠି 3 ଟି ଟି-20 ମ୍ୟାଚ ଆଉ 3ଟି ଦିନିକିଆ ମ୍ୟାଚ ଖେଳିବ। ତେବେ ପ୍ରଥମ ଟି-20 ମ୍ୟାଚ ବର୍ଷା କାରଣରୁ ବାଧପ୍ରାପ୍ତ ହୋଇଥିଲା। କିନ୍ତୁ ଦ୍ଵିତୀୟ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ବୃହତ ବିଜୟ ହାସଲ କରିଛି। ଦ୍ଵିତୀୟ ଟି-20 ମ୍ୟାଚରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଦଳକୁ 65 ରନରେ ହରାଇଛି। ଏଥି ସହିତ ସିରିଜରେ 1-0 ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ।