ଦେଶରେ ଦ୍ୱିତୀୟ କରୋନା ତରଙ୍ଗ ଅତ୍ୟନ୍ତ ମାରାତ୍ମକ ଭଳି ଲାଗୁଛି । ଦେଶରେ ପ୍ରଥମ ଥର ପାଇଁ ସୋମବାର ଦିନ ଗୋଟିଏ ଦିନରେ ସାମ୍ନାକୁ ଆସିଥିବା କରୋନା ମାମଲା ଏକ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୩,୫୫୮ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ କରୋନା ସଂକ୍ରମଣ ହେତୁ ୪୭୮ ଜଣଙ୍କର ମୃତ୍ୟୁ ଘଟିଛି । ଏହାପୂର୍ବରୁ, ସେପ୍ଟେମ୍ବର ୧୭, ୨୦୨୦ ରେ ଦେଶରେ ସର୍ବାଧିକ ୯୭,୮୯୪ ଟା ମାମଲା ଚିହ୍ନଟ ହୋଇଥିଲା ଯାହା ସର୍ବାଧିକ ଥିଲା ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ସୋମବାର ଦିନ ପ୍ରକାଶିତ ତଥ୍ୟ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୨୫,୮୯,୦୬୭ କୁ ବୃଦ୍ଧି ପାଇଥିବା ବେଳେ କୋଭିଡ଼ ମୃତ୍ୟୁ ସଂଖ୍ୟା ୧,୬୫,୧୦୧ କୁ ବୃଦ୍ଧି ପାଇଛି । ଏହାର ଗୋଟିଏ ଦିନ ପୂର୍ବରୁ କରୋନା ସଂକ୍ରମଣର ୯୩,୨୪୯ ନୂତନ ମାମଲା ପଞ୍ଜିକୃତ ହୋଇଛି ଏବଂ ୫୧୩ ଜଣଙ୍କର ମୃତ୍ୟୁ ହୋଇଛି ।

ସାରା ବିଶ୍ୱରେ ନୂତନ କରୋନା ମାମଲାରେ ଆମେରିକା ଏବଂ ବ୍ରାଜିଲକୁ ପଛରେ ପକେଇ ଭାରତ ବିଶ୍ୱର ଏକ ନମ୍ବରରେ ପହଞ୍ଚିଛି । କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଦେଶ ତାଲିକାରେ ଆମେରିକା ୧ ନମ୍ବରରେ, ବ୍ରାଜିଲ ୨ ନମ୍ବରରେ ଏବଂ ୩ ୟରେ ଭାରତ ଅଛି । ସୋମବାର ଦିନ ଆମେରିକାରେ ୩୬,୯୮୩, ବ୍ରାଜିଲରେ ୩୧,୩୫୯ ଏବଂ ଭାରତରେ ୧,୦୩,୫୫୮ ମାମଲା ରୁଜୁ ହୋଇଛି । ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ, ଯେଉଁଠାରେ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ମାମଲା ଦେଖିବାକୁ ମିଳିଛି ।
ସୂଚନାଥାଉ ଯେ ଦେଶରେ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଜାରି ରହିଛି । ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଚାଲିଥିଲା ବେଳେ ବର୍ତ୍ତମାନ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ କୋଭିଡ଼ ଟିକା ଦିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭,୯୧,୦୫,୧୬୩ ଜଣଙ୍କୁ ଟିକା ଦିଆସରିଛି ।