ନୂଆଦିଲ୍ଲୀ : ଏ ବିଶ୍ଵବ୍ୟାପୀ କରୋନା ସଙ୍କଟ ସମୟରେ ବି ପାକିସ୍ତାନ ତା’ ପୁରୁଣା ଅଭ୍ୟାସ ଛାଡୁନି । କରୋନାଭାଇରସ ନାମକ ଏକ ଅଦୃଶ୍ୟ ଶତ୍ରୁ ସହିତ ସାରା ବିଶ୍ଵ ଯୁଦ୍ଧ କରୁଥିବାବେଳେ ପାକିସ୍ତାନ ଭାରତ ସୀମା ଦେଇ ଆତଙ୍କବାଦୀ ପଠାଇବାରେ ବ୍ୟସ୍ତ । ଆର୍ଥିକ ଦୃଷ୍ଟିରୁ ଦେବାଳିଆ ପାକିସ୍ତାନ କରୋନା ଲଢେଇରେ ହାରି ଅନ୍ୟ ଦେଶମାନଙ୍କୁ ଆର୍ଥିକ ସହାୟତା ମାଗିଥିଲା ଏଇ କିଛି ଦିନ ତଳେ । ପାକିସ୍ଥାନକୁ ଯେତେ କଷ୍ଟ ହେଉପଛେ, ତା ଦେଶର ଲୋକେ ଭୋକରେ ମରନ୍ତୁ କି କରୋନା ରୋଗରେ, ତାକୁ ଯେମିତି ଭାରତ ବିରୋଧରେ ହିଁ କେବଳ ଷଡଯନ୍ତ୍ର କରିବାର ହିଁ ଅଛି !
ଗୋଟିଏ ପଟେ ପାକିସ୍ତାନ କରୋନା ସହିତ ଲଢିବା ପାଇଁ ବିଶ୍ୱକୁ ଋଣ ମାଗୁଛି, ଅନ୍ୟପଟେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶର ଷଡ଼ଯନ୍ତ୍ର ରଚୁଛି । ଏମିତିକି ପାକିସ୍ଥାନର ସେନାବାହିନୀ କରୋନା ସଂକ୍ରମିତମାନଙ୍କୁ କାଶ୍ମୀର ପଠାଇବାକୁ ପ୍ରସ୍ତୁତ ହେଉଛି । ଏ କରୋନାର ବିପତ୍ତି କାଳରେ ବି ପାକିସ୍ତାନ ନେତାଙ୍କ କଥାରେ କାଶ୍ମୀର ଓ ଆତଙ୍କବାଦୀ ଷଡଯନ୍ତ୍ର ଚାଲିଛି । କିନ୍ତୁ ଭାରତୀୟ ସୁରକ୍ଷାକାରୀଙ୍କ ସତର୍କତା ସାମ୍ନାରେ ପାକିସ୍ତାନର ଆତଙ୍କବାଦୀ ଷଡଯନ୍ତ୍ର ବିଫଳ ହୋଇଛି ।
ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ ଭିତ୍ତିକ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଆତଙ୍କବାଦୀମାନେ ଗୋରିପୁରା ଅଞ୍ଚଳର ଏକ ବଗିଚାରେ ଲୁଚିଥିଲେ । ବଗିଚାର ଭୁଇଁ ତଳେ ଏକ ଟନେଲ ନିର୍ମାଣ କରିଥିଲେ ଯେଉଁଥିରେ ବାୟୁ ଚଳାଚଳ ରହିବ । ତେଣୁ ସାବଧାନର ସହିତ ସୁଢଙ୍ଗରେ ଏମିତି ଏକ ଗାତ କରାଯାଇଥିଲା ଯାହା ଦୂରରୁ ସହଜେ ଦିଶିବନି । ଭୂମି ଉପରେ ବିପଦ ବଢୁଥିବାରୁ ଏବେ ଆତଙ୍କବାଦୀମାନେ ଭୂମି ତଳେ ମୂଷା ପରି ଗାତ କରି ଲୁଚି ବୁଲୁଛନ୍ତି ।
ନିହତ ଆତଙ୍କବାଦୀଙ୍କ ଲୁଚି ରହିଥିବା ଠିକଣାରୁ ମେଞ୍ଚାଏ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ପାକିସ୍ତାନର ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ପୂର୍ବରୁ ସୂଚନା ଦେଇଥିଲେ । ନରୱାନେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେତେବେଳେ ସମଗ୍ର ବିଶ୍ୱ ଏବଂ ଭାରତ ମହାମାରୀ ସହିତ ଲଢେଇ କରୁଥିଲାବେଳେ ପଡ଼ୋଶୀ ଏହି ଅସୁବିଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଭାରତ ଯେଉଁଠି ସାରା ବିଶ୍ୱକୁ ସାହାଯ୍ୟର ହାତ ବଢାଉଛି ପାକିସ୍ତାନ ସେହି ସମୟରେ ଭାରତକୁ ଆତଙ୍କବାଦୀ ପଠାଉଛି ।
ପାକିସ୍ତାନର ଷଡ଼ଯନ୍ତ୍ରକୁ ନେଇ କରୋନା ସମୟରେ ବି ଭାରତ ସତର୍କ ରହିଛି । ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାରେ ଅଶାନ୍ତି ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି ଓ ଭାରତୀୟ ସୁରକ୍ଷା ବଳକୁ ନେଇ ଯାଉଛନ୍ତି ।