ସଂସ୍କାର : ଦେଶରେ ବଢ଼ିବାରେ ଲାଗିଛି ଅପରାଧର ସ୍ତର। ପ୍ରତ୍ୟେକ ଦିନ ଘଟୁଛି ଅନେକ ଅପରାଧ। ଏହି ଅପରାଧ ମଧ୍ୟରୁ କେତୋଟି ନୂଆ ନୂଆ ଅପରାଧ ହୋଇଥିବା ବେଳେ, ଆଉ କେତୋଟି ସମାନ ପୁରୁଣା ଢଙ୍ଗର। ନୂଆ ନୂଆ ଅପରାଧ ପୋଲିସ୍ ର ମୁଣ୍ଡ ବୁଲେଇ ଦେଉଛି। ତେବେ ଏହାରି ମଧ୍ୟରେ ପ୍ରକାଶ ପାଇଛି ଗତବର୍ଷ ଅର୍ଥାତ୍ ୨୦୨୦ ମସିହାର ଅପରାଧ ତଥ୍ୟ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଗତବର୍ଷ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ଅର୍ଥାତ୍ ଏତିକି ଲୋକଙ୍କୁ ହତ୍ୟା କରାଯାଇଛି। ତେବେ ୨୦୧୯ ମସିହା ତୁଳନାରେ ଏହା ୧ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ ଦଙ୍ଗା ଓ ଗୋଷ୍ଠୀ ସଂଘର୍ଷ ୨୦୧୯ ମସିହା ଅପେକ୍ଷା ୨୦୨୦ ମସିହାରେ ବହୁ ମାତ୍ରାରେ ବୃଦ୍ଧି ପାଇଛି। ୨୦୧୯ ମସିହାରେ ଏହି ସଂଖ୍ୟା ୫୧ ହଜାର ୬୦୬ ଥିବା ବେଳେ, ୨୦୨୦ରେ ଏହା ବୃଦ୍ଧି ପାଇ ୭୧ ହଜାର ୧୦୭ରେ ପହଞ୍ଚିଛି ।
ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଦେଶରେ ଶିଶୁ ଅପହରଣ ଓ ମୁଣ୍ଡଜାମିନ ରଖିବା ଘଟଣା ବୃଦ୍ଧି ପାଇଛି। ଜାତିଆଣ ମାମଲା ୨୦୧୯ ମସିହା ତୁଳନାରେ ଗତବର୍ଷ ସାରା ଦେଶରେ ଅଧିକ ହୋଇଛି । ତେବେ ସବୁଠୁ ଅଧିକ ବୃଦ୍ଧି ହୋଇଛି ସାଇବର୍ ଠକେଇ। କାରଣ କରୋନା ଯୋଗୁଁ ଚାକିରୀ ହରାଇ ଥିବା ଅନେକ ଲୋକ ସାଇବର୍ ଅପରାଧୀ ସାଜିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ତେବେ ୨୦୨୦ ମସିହାରେ ୫୦ ହଜାର ୩୫ଟି ସାଇବର ଠକେଇ ମାମଲା ରୁଜୁ କରାଯାଇଥିଲା । ପରିବେଶ ସମ୍ବର୍ଦ୍ଧିତ ଅପରାଧ ପୂର୍ବ ବର୍ଷ ତୁଳନାରେ ୭୮ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ୨୦୧୯ ତୁଳନାରେ ଦେଶରେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲା କମିଛି । ଅନ୍ୟ ଏକ ଚିନ୍ତାଜନକ ପ୍ରସଙ୍ଗରେ ଦେଶରେ ନକଲି ନୋଟ କାରବାର ବୃଦ୍ଧି। ଦେଶରେ ପୂର୍ବ ବର୍ଷ ତୁଳନାରେ ୧୯୦ ପ୍ରତିଶତ ବୃଦ୍ଧି ପାଇଛି ନକିଲ ନୋଟ କାରବାର, ଯାହାକି ଏନସିଆରବି ରିପୋର୍ଟ କହୁଛି।
ଅନ୍ୟପକ୍ଷରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମ ରାଜ୍ୟ ଓଡ଼ିଶାରେ ବୃଦ୍ଧି ପାଇଛି ମହିଳା ବିରୋଧୀ ଅପରାଧ ଘଟଣା । ଅର୍ଥାତ ସାରା ଦେଶରେ ମହିଳା ବିରୋଧୀ ଅପରାଧରେ ଦ୍ବିତୀୟରେ ରହିଛି ଓଡ଼ିଶା । ୨୦୧୯ରେ ଏହି ସଂଖ୍ୟା ୨୩ ହଜାର ୧୮୩ ଓ ୨୦୧୮ରେ ୨୦ ହଜାର ୨୭୪ ଥିଲା । ହେଲେ ୨୦୨୦ରେ ମହିଳାଙ୍କ ବିରୋଧରେ ମୋଟ୍ ଅପରାଧ ହାର ଥିଲା ୧୧୨.୯ । ସେହିପରି ୨୦୨୦ରେ ୧୭ ଜଣ ନାବାଳିକାଙ୍କ ସମେତ ସମୁଦାୟ ୧୨୧୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏହାସହ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି ୨୦ ଜଣ ଶିଶୁ । ଅପରାଧରେ ଓଡ଼ିଶାରେ ୨୦୧୮ ମସିହାରେ ୫୨୧୭ଟି ମାମଲା ଥିବା ବେଳେ, ୨୦୧୯ରେ ୭୦୧୨ ଓ ୨୦୨୦ ମସିହାରେ ୬୩୩୦ ଶିଶୁ ଅପରାଧ ମାମଲା ହୋଇଥିବା ରିପୋର୍ଟରେ କୁହାଯାଇଛି ।