ଆମେରିକାରେ ରହୁଥିବା ଭାରତୀୟ ଦମ୍ପତ୍ତି ହଳେନିଜ ଘରେ ମୃତ ଅବସ୍ଥାରେ ମିଳିଲେ । ପଡ଼ୋଶୀମାନେ ତାଙ୍କ ୪ ବର୍ଷର ଝିଅକୁ ଏକୁଟିଆ ବାଲକୋନୀରେ କାନ୍ଦୁଥିବାର ଦେଖିଥିଲେ ଯାହା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ସୂଚନା ‘ପରିବାର ସୂତ୍ର’ ତରଫରୁ ଶୁକ୍ରବାର ଦିନ ମିଳିଛି ।
ଆମେରିକାର ଗଣମାଧ୍ୟମ ଦାବି କରିଛି ଯେ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସ୍ୱାମୀ ଜଣକ ଏକ ତୀକ୍ଷ୍ଣ ଅସ୍ତ୍ରରେ ପତ୍ନୀଙ୍କୁ ଆକ୍ରମଣ କରିଥିଲେ । ଯେତେବେଳେ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବାକୁ ଲାଗିଲେ, ସ୍ଵାମୀ ତାଙ୍କ ପତ୍ନୀଙ୍କ ପେଟ କାଟି ଦେଲେ ।

ତେବେ ବୁଧବାର ଦିନ ବାଲାଜୀ ଭାରତ ରୁଦ୍ରୱାର (୩୨ ବର୍ଷ) ଏବଂ ତାଙ୍କ ପତ୍ନୀ ଆରତୀ ବାଲାଜୀ ରୁଦ୍ରୱାର (୩୦ ବର୍ଷ) ନିଜ ଘରେ ମୃତ ଅବସ୍ଥାରେ ମିଳିଲେ । ପଡ଼ୋଶୀମାନେ ଝିଅଟି କାନ୍ଦୁଥିବା ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ଏବଂ ଖବର ପାଇ ପୋଲିସ ପହଞ୍ଚିଥିଲା ଆସି ଘଟଣାସ୍ଥଳରେ ।
ବାଲାଜୀଙ୍କ ପିତା ଭାରତ ରୁଦ୍ରୱାର କହିଛନ୍ତି ଯେ ଗୁରୁବାର ପୋଲିସ ତାଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଆମେରିକାର ପୋଲିସ କହିଛି ଯେ ସେମାନେ ପୋଷ୍ଟମର୍ଟମ ରିପୋର୍ଟ ଶେୟାର କରିବେ । ରୁଦ୍ରୱର କହିଛନ୍ତି, ‘ମୋ ବୋହୂ ସାତ ମାସ ଗର୍ଭବତୀ ଥିଲେ । ଆମେ ତାଙ୍କ ଘରକୁ ଯାଇଥିଲୁ ଏବଂ ଆମେରିକା ଯିବାକୁ ଯୋଜନା ବି କରୁଥିଲୁ । ମୃତ୍ୟୁ ପଛର କାରଣ ମୁଁ ଜାଣି ନାହିଁ । ସେ ଖୁସି ଥିଲେ ଏବଂ ପଡ଼ୋଶୀମାନେ ମଧ୍ୟ ଭଲ ଥିଲେ ।’