ପାର୍ବଣ ଋତୁରେ ଘରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର : ଆଜିଠୁ ଚାଲିବ ୩୯୨ଟି ପୂଜା ସ୍ୱତନ୍ତ୍ର ଟ୍ରେନ

କରୋନା ଅବଧିରେ ଦଶହରା, ଦୀପାବଳି ଏବଂ ଛଟ୍ ପୂଜା ଅବସରରେ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଆଜିଠାରୁ ରେଳବାଇ ସ୍ୱତନ୍ତ୍ର ଟ୍ରେନର ସେବା ଆରମ୍ଭ କରିଛି । ଅକ୍ଟୋବର ୨୦ ତାରିଖରୁ ନଭେମ୍ବର ୩୦ ତାରିଖ ଯାଏଁ ୩୯୨ ଟି ପୂଜା ସ୍ୱତନ୍ତ୍ର ଟ୍ରେନ ଚାଲିବ ।

ତେବେ ଭାରତୀୟ ରେଳବାଇ ଏହି ଟ୍ରେନ ଯାତ୍ରା ପାଇଁ ଏକ ଗାଇଡଲାଇନ ଜାରି କରିଛି । ତଦନୁଯାୟୀ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଅନୁସରଣ ନକରିବା ଯାତ୍ରୀଙ୍କ ପାଇଁ ମହଙ୍ଗା ହୋଇପାରେ । ରେଳ ସୁରକ୍ଷା ବଳ (RPF) ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କୋଭିଡ଼ ପଜିଟିଭ ହେଲାପରେ ବି ଟ୍ରେନରେ ଯାତ୍ରା କରିବା ସମୟରେ ଗାଇଡ଼ଲାଇନ ଉଲଂଘନ କଲେ ଜରିମାନା ସହିତ ଜେଲ ମଧ୍ୟ ହୋଇପାରେ ।

ଦୁର୍ଗା ପୂଜା, ଦୀପାବଳି, ଛଟ୍ ପୂଜା ଛୁଟି ବଢୁଥିବା ଚାହିଦାକୁ ନଜରରେ ରଖି କୋଲକାତା, ପାଟନା, ବାରାଣାସୀ ଏବଂ ଲକ୍ଷ୍ନୌ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ତେବେ ସୂଚନା ଅନୁଯାୟୀ ଉକ୍ତ ଟ୍ରେନଗୁଡ଼ିକରେ ସ୍ୱତନ୍ତ୍ର ଭଡ଼ା ଲାଗୁ ହେବ, ଅର୍ଥାତ୍ ମେଲ୍/ ଏକ୍ସପ୍ରେସ ଟ୍ରେନ୍ ତୁଳନାରେ ପୂଜା ସ୍ୱତନ୍ତ୍ର ଟ୍ରେନର ଭଡ଼ା ୧୦ରୁ ୩୦ ପ୍ରତିଶତ ଅଧିକ ହେବ, ଯାହା ଯାତ୍ରାର ଶ୍ରେଣୀ ଉପରେ ନିର୍ଭର କରିବ । ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ କେବଳ ୪୦ ଦିନ ଚାଲିବ ।

ବର୍ତ୍ତମାନ ସମୁଦାୟ ୬୬୬ ଟି ମେଲ ଏବଂ ଏକ୍ସପ୍ରେସ ଟ୍ରେନ୍ ଚାଲୁଥିବାବେଳେ ସମସ୍ତ ନିୟମିତ ଟ୍ରେନ୍ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଛି । ଏହାବ୍ୟତୀତ ମୁମ୍ବାଇର କିଛି ଉପାନ୍ତ ସେବା ସହିତ କୋଲକାତା ମେଟ୍ରୋର କିଛି ସେବା ମଧ୍ୟ ପୁନରୁଦ୍ଧାର କରାଯାଇଛି । ରେଳବାଇ ଅଧିକାରୀଙ୍କ କହିବାନୁଯାୟୀ ଏ ପୂଜା ସ୍ୱତନ୍ତ୍ର ଟ୍ରେନ ସବୁ କେବଳ ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *