ତାଳି ଆଉ ବାଜିବନି, ‘ବାପା ମୋର ଚାଲିଗଲେ’ କହି ଭୋଭୋ ହେଇ କାନ୍ଦିଲେ ପୁଣ୍ଟୁ ନନା

ପ୍ରଖ୍ୟାତ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହେବାର ଦୁଇ ମାସ ନପୁରୁଣୁ ଚାଲିଗଲେ ଆଉଜଣେ ସମସ୍ତଙ୍କ ପ୍ରିୟ ଅଭିନେତା ଅଜିତ ଦାସ । କରୋନାରେ ଆକ୍ରାନ୍ତ ହେବା ପରେ ସେ ଆଉ ତାଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ୫ ଦିନ ତଳେ ସୁସ୍ଥ ହୋଇ ଘରକୁ ଫେରିଥିଲାବେଳେ ଅଜିତ ଦାସ କିନ୍ତୁ ଫେରିଲେନି ।

ତାଙ୍କ ବିୟୋଗରେ ପୁଣ୍ଟୁ ନନା ରୂପେ ଟେଲିଭିଜନ ଦୁନିଆରେ ଜଣାଶୁଣା ଅନ୍ତର୍ଯାମୀ ମିଶ୍ର ଭାବପ୍ରବଣ ହୋଇ ଭୋଭୋ କାନ୍ଦିବା ନଜରକୁ ଆସିଛନ୍ତି । ସେ ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି କହୁଛନ୍ତି ଯେ ମୁଁ ମୋ ବାପାଙ୍କୁ ହରେଇଛି । ତାଙ୍କ କହିବାନୁଯାୟୀ ୨୨ ବର୍ଷ ହେବ ଅଜିତ ଦାସ ତାଙ୍କୁ ପୁଅ ଭଳି ପାଳିଥିଲେ । ବିଜୟ ମିଶ୍ର ତାଙ୍କୁ ଗାଁରୁ ସହରକୁ ଆଣିଥିଲେ, ଅସୀମ ବସୁ ଖାଇବାକୁ ଦେଉଥିଲେ ଆଉ ଅଜିତ ଦାସ ଓ ବିଜୟ ମହାନ୍ତି ମୋତେ ପାଠ ପଢାଉଥିଲେ ।

ବାରମ୍ବାର କାନ୍ଦି କାନ୍ଦି କହୁଥିଲେ ଆଉ ତାଳି ବାଜିବନି ମୋ ପାଇଁ । ମୋ ପିଠି ଥପୁଡେଇ ଆଉ କେହି କହିବେନି, ଟୋ ତାଳିରୁ ମୋତେ ଥୋଡାଏ ଦେ’ । ତେବେ ଆଜିକୁ ୪୪ ବର୍ଷ ପୂର୍ବେ ୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ରରେ ଅଭିନୟ କରି ଓଡ଼ିଆ ସିନେମାରେ ପାଦ ଥାପିଥିବା ଅଭିନେତା ଅଜିତ ଦାସ ୬୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ।

ପରବର୍ତ୍ତୀ ସମୟରେ ୧୯୮୫ରେ ସେ ‘ହାକିମବାବୁ’ ଚଳଚିତ୍ର କରି ଘରେ ଘରେ ପରିଚିତ ହେଲେ । ଏହି ଫିଲ୍ମଟି ସୁପରଡୁପର ହିଟ୍ ହେବା ପରେ ଅଜିତ ଦାସଙ୍କୁ ସରକରାଙ୍କ ତରଫରୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମଧ୍ୟ ମିଳିଥିଲା । ୮୦ ଦଶକରେ ସେ ମଞ୍ଚ ନାଟକକୁ ଓହ୍ଲାଇଲେ । ତାଙ୍କ ପରେ ଓଡ଼ିଶାର ମଞ୍ଚ ନାଟକ ବି ଗୋଟିଏ ନୂଆ ଯୁଗରେ ପ୍ରବେଶ କଲା ।

ମାତ୍ର ଗତକାଲି ତାଙ୍କ ଇହଲୀଳା ସମାପ୍ତ ହେଲାପରେ ଆଜି ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହେଲା । ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର ଶେଷ ହେଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

Leave a Reply

Your email address will not be published. Required fields are marked *