ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ସାଗରପଲି ଛକରେ ଦେଓଗାଁ ହାଇସ୍କୁଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ଇନୋଭା କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଥିବା ସୂଚନା ମିଳିଛି ।
ଖବର ମୁତାବକ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଡାବୁଗାଁ SBI ବ୍ରାଞ୍ଚ ମ୍ୟାନେଜର ରାକେଶ ହେମ୍ବ୍ରମ ଏବଂ ଅନ୍ୟଜଣେ ମୃତକ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ଇନୋଭା କାରର ମାଲିକ ସତ୍ୟଜିତ ମାଦଲା । ଏହାବ୍ୟତୀତ ମୃତ ସତ୍ୟଜିତଙ୍କ ବାପା ରାମେଶ୍ୱର ମାଦଲା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହାସହିତ କାର ଚାଳକ ଭୀମ ହରିଜନ ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ଏହି ଅଭାବନୀୟ ଦୁର୍ଘଟଣା ରାତି ପ୍ରାୟ ୪ ଟା ବେଳେ ଘଟିଥିଲା । କାରରେ ବସି ସମସ୍ତେ ନବରଙ୍ଗପୁରରୁ ବାହାରି ଭୁବନେଶ୍ୱର ଯାଉଥିଲେ ଏବଂ ସାଗରପାଲି ନିକଟରେ କାରଟି ନିଜର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ତେବେ ଖବର ପାଇ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗୁରୁତର ଆହତ ରାମେଶ୍ୱର ମାଦଲା, ଭୀମ ହରିଜନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।