IPL ଖେଳିବାକୁ ଯାଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସକୁ କରୋନା ମାଡ଼ । ଟିମର ଜଣେ ଦ୍ରୁତ ବୋଲରଙ୍କ ସମେତ କେତେକ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । କରୋନା ଆକ୍ରାନ୍ତ ସଦସ୍ୟଙ୍କ ଭିତରେ ଜଣେ ଖେଳାଳି ଥିବାବେଳେ ଅନ୍ୟମାନେ ସପୋର୍ଟ ଷ୍ଟାଫ୍ ଏବଂ ଅଧିକାରୀମାନେ ଅନ୍ତର୍ଭୁକ୍ତ ।
ତେବେ ପଜିଟିଭ୍ ରିପୋର୍ଟ ଆସିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲାବେଳେ ସେମାନେ ସମସ୍ତେ କ୍ଵାରେଣ୍ଟିନରେ ରହିଛନ୍ତି । ସୂଚନା ଅନୁଯାୟୀ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍ ଦୁବାଇରେ ଅଗଷ୍ଟ ୨୧ ତାରିଖରେ ଅବତରଣ କରିବା ପରେ ୬ ଦିନ କ୍ୱାରେଣ୍ଟିନରେ ରହିଥିଲା । ମୋଟ ୧୦ ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଚେନ୍ନାଇ ସୁପରକିଙ୍ଗସ୍ ତା’ର କ୍ୱାରେଣ୍ଟିନ ଅବଧିକୁ ଆଉ ସପ୍ତାହକ ପାଇଁ ବଢ଼ାଇ ଦେଇଛି ।
BCCI ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗସ୍ ଟିମ୍ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଆଯାଇଥିବା ସମସ୍ତ ପ୍ରୋଟୋକଲ୍ ପାଳନ କରୁଛନ୍ତି । ତଥାପି କେମିତି ସଦସ୍ୟମାନଙ୍କର ରିପୋର୍ଟ ପଜିଟିଭ୍ ଆସିଲା, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଖେଳାଳି ରହିଥିବାର ସୂଚନା ମଧ୍ୟ ହସ୍ତଗତ ହୋଇଛି ।