ସଂସ୍କାର : ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣ। ଏହି ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚ ଗୁଡ଼ିକ ଶୁକ୍ରବାର ଦିନ ଶେଷ ହୋଇ ସାରିଛି। ଏହିକ୍ରମରେ ଆଇପିଏଲ୍ ଇତିହାସରେ ୫ ଥର ବିଜୟୀ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡ଼ରୁ ବାହାରି ଯାଇଛି। ଏଥି ସହିତ କୋଲକାତା ନାଇଟ ରାଇଡର୍ସ ନିଜର ସ୍ଥାନକୁ ସୁନିଶ୍ଚିତ କରିଛି। ଅନ୍ୟପଟେ ଆଇପିଏଲ୍ ର ପ୍ଲେଅଫ ମ୍ୟାଚ ଓ ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇଛି।
ପ୍ଲେଅଫ ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୦ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏ ଦୁଇ ଦଳ ମଧ୍ୟରେ ଏକ କଡାଟକ୍କର ଦେଖିବାକୁ ମିଳିବ। ସେହିପରି ସୋମବାର ଦିନ ଅର୍ଥାତ୍ ଅକ୍ଟୋବର ୧୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସକୁ କୋଲକାତା ନାଇଟ ରାଇଡର୍ସ ଭେଟିବ।
ପ୍ଲେଅଫରେ ପ୍ରଥମ ଲଢ଼େଇ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ହେବ। ଏହି ୨ଟି ଟିମ ଲିଗ ପର୍ଯ୍ୟାୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତେଣୁ ଏମାନଙ୍କୁ ଫାଇନାଲରେ ପହଂଚିବା ପାଇଁ ୨ଟି ଲେଖାଏଁ ସୁଯୋଗ ମିଳିବ। ଅର୍ଥାତ କ୍ବାଲିଫାୟର୧ରେ ଯେଉଁ ଟିମ ଜିତିବ, ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। କିନ୍ତୁ ଯେଉଁ ଟିମ ହାରିବ, ସେହିଟିମ ଏଲିମିନେଟର ବିଜୟୀ ଟିମ ସହିତ ମୁକାବିଲା କରିବ।
ଏଲିମିନେଟର ମୁକାବିଲା ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ହେବ। ଏହି ମ୍ୟାଚରେ ଯିଏ ହାରିବ ସେହି ଟିମ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବ। କିନ୍ତୁ ବିଜୟୀ ଟିମକୁ ଫାଇନାଲରେ ପ୍ରବେଶ କରିବା ପାଇଁ କ୍ବାଲିଫାୟର ୨ ସହିତ ଲଢ଼ିବାକୁ ପଡ଼ିବ। ଅକ୍ଟୋବର ୧୩ ତାରିଖରେ କ୍ବାଲିଫାୟର-୨ ଖେଳାଯିବ। ଆଉ ଚଳିତ ବର୍ଷର ଆଇପିଏଲ୍ ର ଫାଇନାଲ ମ୍ୟାଚ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଖେଳାଯିବ।