ଲୋକପ୍ରିୟ କଳାକାର ଏବଂ ଆଗ ଧାଡ଼ିର କମେଡ଼ିଆନ୍ ଜଗା ରାଉତଙ୍କ ପରଲୋକ

କେବଳ ରାଜ୍ୟ ନୁହେଁ ସାରା ଦେଶରେ କରୋନାର କରାଳ ରୂପ ଦେଖିବାକୁ ମିଳୁଛି । ଏହି ସମୟରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ କଳାକାର ତଥା କମେଡ଼ିଆନ୍ ଜଗା ରାଉତଙ୍କର ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲାବେଳେ ଯାତ୍ରା ଜଗତକୁ ସେ ଦେଇଥିଲେ ପୁରା ୬୨ ବର୍ଷ । ନିମାପଡ଼ାରେ ଜନ୍ମଗ୍ରହଣ କରିଥିବା ଜଗା ଥିଲେ ଯାତ୍ରା ଜଗତର ଜଣେ ଆଗ ଧାଡ଼ିର କମେଡ଼ିଆନ୍ । ସାତ ସଙ୍ଖ, କୋଣାର୍କ ଏବଂ କଳିଙ୍ଗ ଭଳି ଗଣନାଟ୍ୟରେ କାମ କରି ସେ ଖୁବ୍ ନାଁ କମେଇଥିଲେ ।

ସ୍ଵର୍ଗତ ଜଗା ତାଙ୍କ ଯାତ୍ରା କ୍ୟାରିଅର “ଲଣ୍ଠନ”ରୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ “ରାଜଧାନୀ ତତେ ଦୂରୁ ଜୁହାର”, “କହଲୋ ବଉଳ କିଏ ତୋ ବର”, “ନକହିଲେ କୂଳ ଭାସି ଯାଉଛି”, “ଆକାଶ କଇଁଆ ଚିଲିକା ମାଛ”, “କାଗଜ ଫୁଲ”, “ବୋହୂ ଆଣିଥିଲି ବେଶ୍ୟାପଡ଼ା”ରୁ ଭଳି ଅନେକ ବହି କରି ସେ ଜିଣି ପାରିଥିଲେ ଦର୍ଶକଙ୍କ ମନ ।

ଅସଜଡ଼ା କଥା କହି ହସିହସି ବେଦମ କରାଉଥିବା ଜଗା ‘ସାତଶଙ୍ଖ ଅପେରା’ର ବ୍ରାଣ୍ଡ୍‌ ପାଲଟି ଯାଇଥିଲେ । ଯାତ୍ରା ପ୍ରତି ଜଗାଙ୍କ ଆକର୍ଷଣ ତାଙ୍କୁ ତାଙ୍କ ପୈତୃକ ଘର ଛାଡ଼ିବାକୁ ବାଧ୍ୟ କରିଥିଲା । ଯାତ୍ରାରେ ଅଭିନୟ ନିଶା ତାଙ୍କୁ ୧୦ ବର୍ଷ କାଳ ଛୋଟମୋଟ ପାର୍ଟିରେ ଅଭିନୟ କରେଇଥିଲା ଏବଂ ପରେ ୧୯୬୮ ମସିହା‌ରେ ‘ସାତଶଙ୍ଖ ଅପେରା’ରେ ସେ ପାଦ ଦେଇଥିଲେ । ଏହାପରେ ୩୫ ବର୍ଷ କାଳ ସେ ସେଇ ‘ସାତଶଙ୍ଖ ଅପେରା’ରେ ହିଁ ରହିଥିଲେ ଏବଂ ନିଜ ହସର ପରଶ ବୁଣି ଚାଲିଥିଲେ । ତେବେ ସୂଚନାଥାଉ ଯେ ମୃତ୍ୟୁ ପୂର୍ବରୁ ସେ ‘କଳିଙ୍ଗ ଗଣନାଟ୍ୟ’ରେ ଅଭିନୟ କରୁଥିଲେ ।

Leave a Reply

Your email address will not be published. Required fields are marked *