ସଂସ୍କାର : ନିଜର କର୍ମକ୍ଷେତ୍ରରେ ହିଁ ପ୍ରାଣ ହରାଇଲେ ସାମ୍ବାଦିକ। ଖବର ସଂଗ୍ରହ କରୁଥିବା ସମୟରେ ଆତଙ୍କିଙ୍କର ବିଛାଇଥିବା ଜାଲରେ ଫସି ପ୍ରାଣ ହରାଇଲେ ସାମ୍ବାଦିକ। ମାଓବାଦୀଙ୍କ ପୋଷ୍ଟରର ଫଟୋ ଉଠାଇବାକୁ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଜଣେ ସାମ୍ବାଦିକଙ୍କ ଜୀବନ ଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର କର୍ଲାଖୁଣ୍ଟା ନିକଟରେ ମାଓବାଦୀମାନେ ପୋଷ୍ଟର ଲଗାଇଥିଲେ ।ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ କରିଥିଲେ ମାଓବାଦୀ। ତେବେ ଖବର ସଂଗ୍ରହ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ ସାମ୍ବାଦିକ ରାଜ୍ୟର ଗୋଟିଏ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକ। ଯାହାଙ୍କର ନାମ ରୋହିତ ବିଶ୍ବାଳ। ତେବେ କର୍ଲାଖୁଣ୍ଟା ପୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇ ଯାଇଛି।
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରୋହିତ ବିଶ୍ବାଳଙ୍କର ମୃତ୍ୟୁ ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ମୃତ ସାମ୍ବାଦିକଙ୍କ ପରିବାର ଲୋକଙ୍କ ପାଇଁ ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସ ବିଭାଗ ପକ୍ଷରୁ ୯ ଲକ୍ଷ, ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏନେଇ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଏହା ସହିତ ମାଓବାଦୀଙ୍କ ବିସ୍ପୋରଣରେ ରୋହିତଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାକୁ ନିନ୍ଦା ସହ କଡ଼ା କାର୍ଯ୍ୟାନୁଷ୍ଠାନ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।