ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରାଜ୍ୟ ବିଜେପିକୁ ଦେବେ ସାଙ୍ଗଠନିକ ସୁଦୃଢ଼ ମନ୍ତ୍ର !

ସଂସ୍କାର : ରାଜ୍ୟ ବିଜେପିକୁ ସଙ୍ଗଠନ ସୁଦୃଢ଼ କରିବା ପାଇଁ ଚିନ୍ତା ଘାରିଛି। ଏହାକୁ ନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୯ ତାରିଖରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ସଙ୍ଗଠନ କିପରି ଅଛି ତାହା ପରଖିବେ। ଆଉ କିଛି ଗୁରୁମନ୍ତ୍ର ବି ଦେବେ।

ଗତ ସୋମବାର ଏନେଇ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ଗଣମାଧ୍ୟମକୁ କହିଥିଲେ ଯେ, ଓଡ଼ିଶାରେ ବିଜେପି କିଭଳି ସୁଦୃଢ଼ ହେବ ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେଥିପାଇଁ କେନ୍ଦ୍ର ନେତୃମଣ୍ଡଳୀ ଗୁରୁତ୍ବ ଦେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖରୁ ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ସମୟରେ ବିଜେପିର ବୁଥସ୍ତର, ମଣ୍ଡଳସ୍ତରଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ଘନ ଘନ ବୈଠକ ହେବ। ଏହାସହିତ ସାଂସଦ, ବିଧାୟକ ଏବଂ ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ନେଇ ବୈଠକ ହେବ।

ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆପଣାଯାଇଥିବା ବିଭିନ୍ନ ଜନହିତକର ଯୋଜନା ରାଜ୍ୟରେ କେତେଦୂର କାର୍ଯ୍ୟକାରୀ ହୋଇଛି ତା’ର ହିସାବ ନେବେ। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେ ହିତାଧିକାରୀ ଘର ପାଇଛନ୍ତି ଏବଂ କେଉଁ ଯୋଗ୍ୟ ହିତାଧିକାରୀ ଘର ପାଇ ନାହାନ୍ତି ତାହା ପରଖିବେ।

ରାଜ୍ୟର ପ୍ରତ୍ୟେକ ଘରେ ଯେପରି ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛଭାରତ ବାର୍ତ୍ତା ଓ ଉଜ୍ବଳା ଯୋଜନା ପହଞ୍ଚିବ ସେ ନେଇ ଆଲୋଚନା କରିବେ। ଏହାବାଦ୍ ମହିଳା ସଶକ୍ତୀକରଣ, ‘ବେଟୀ ବଚାଓ ବେଟୀ ପଢ଼ାଓ’ କାର୍ଯ୍ୟକ୍ରମ ଭଳି ପ୍ରଧାନମନ୍ତ୍ରୀ କିଷାନ ନିଧି ସମ୍ମାନ ଯୋଜନା ଚାଷୀଙ୍କୁ ଠିକଣା ଭାବେ ମିଳୁଛି କି ନାହିଁ ଏବଂ କେତେ ହିତାଧିକାରୀ ପାଉଛନ୍ତି, କେତେ ବାଦ୍ ପଡିଛନ୍ତି ତାହା ପରଖିବେ।

Leave a Reply

Your email address will not be published. Required fields are marked *