ହିନ୍ଦୀ ସିନେ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଏବେ ବି ମୁମ୍ବାଇ ପୋଲିସ ଜେରା ଜାରି ରଖିଛି ଓ ତଦନ୍ତ ଚଳାଇଛି । ମାତ୍ର ଆତ୍ମହତ୍ୟା ନା ହତ୍ୟା ସେ ରହସ୍ୟରୁ ଉଠି ପାରିନି ପରଦା । ନେପୋଟିଜିମ ପ୍ରସଙ୍ଗ ଉଠାଇ ସୁଶାନ୍ତଙ୍କ ଆତ୍ମହତ୍ୟା ଏକ ଷଡ଼ଯନ୍ତ୍ର ବୋଲି କହିଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଦେଇଛନ୍ତି ଚେତାବନୀ । ସେ କହିଛନ୍ତି ଯେ ନେପୋଟିଜିମ ଚାଲିଥିବା ନେଇ ଯଦି ପ୍ରମାଣ ଦେବାରେ ବିଫଳ ହୁଅନ୍ତି ତେବେ ଫେରାଇ ଦେବେ ସେ ପଦ୍ମଶ୍ରୀ ସମ୍ମାନ ।
ବଲିଉଡ଼ କୁଇନଙ୍କ ଏପରି ଚେତାବନୀ ପୁଣିଥରେ ତାଙ୍କୁ ନେଇଆସିଛି ଚର୍ଚ୍ଚାକୁ । ସେ ପ୍ରଥମ କଳାକାର ଥିଲେ ଯିଏ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ଖବର ପରେ ଗଣମାଧ୍ୟମରେ ଖୋଲାଖୋଲି ନିଜର ମତ ରଖିଥିଲେ । ନେପୋଟିଜିମକୁ ନେଇ ସିଧାସଳଖ କହିଥିଲେ । ସୂଚନା ଅନୁଯାୟୀ ମୁମ୍ୱାଇ ପୋଲିସ ଏହି ଘଟଣା ପ୍ରସଙ୍ଗରେ କଙ୍ଗନାଙ୍କ ବୟାନ୍ ରେକର୍ଡ଼ କରିବ ।
ବଲିଉଡ଼ ଦୁନିଆରେ ନେପୋଟିଜିମ ବିରୋଧରେ କେବଳ କଙ୍ଗନା ନୁହନ୍ତି ହିନ୍ଦୀ ସିନେ କଳାକାର ଶେଖର କପୁର, ରଣବୀର ସୁରୀ, ମନୋଜ ବାଜପାୟୀ ମଧ୍ୟ ନିଜର ମୁହଁ ଖୋଲି ସାରିଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ଉପରୁ ଏବେ ସୁଦ୍ଧା ପରଦା ହଟି ପାରିନି । ଏବେ ତ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୀମା ସମୃଦ୍ଧି (ନିର୍ଭୟା ମାମଲାର ଓକିଲ) ଏବଂ ଏନେଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।
ଏହାବ୍ୟତୀତ ଗତକାଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଏହି ପ୍ରସଙ୍ଗରେ ବୟାନ ଦେଇଥିଲେ ଓ କହିଥିଲେ ଯେ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ କୌଣସି ସ୍ୱତନ୍ତ୍ର ତଦନ୍ତର ଆବଶ୍ୟକତା ନାହିଁ । ମୁମ୍ବାଇ ପୋଲିସ ଏହାର ତଦନ୍ତ କରୁଛି ।