ଥମୁ ନଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁପର ଷ୍ଟାର ଅମିତାଭ ବଚ୍ଚନ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା ରଣାୱତ । କେବଳ ସେତିକି ନୁହେଁ ରାମ ମନ୍ଦିର ଭୂମି ପୂଜନ ପାଇଁ ମଧ୍ୟ ବିଗ୍ ବି ସେ ଶୁଭେଚ୍ଛା ବାର୍ତ୍ତା ଦେଇ ନଥିବା ନେଇ ଉତ୍ତର ମାଗିଛନ୍ତି ସେ । ଗତକାଲି ରାତିରେ କଙ୍ଗନା ରିପବ୍ଲିକ ଗଣମାଧ୍ୟମ ସାଙ୍ଗରେ ମୃତ ସୁଶାନ୍ତ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ଉପରେ ଚାଲିଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେତେବେଳେ ଏକ ପ୍ରଶ୍ନ କରାଯାଇଥିଲା ଯେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ଏ ଅଭିଯାନରେ ଅମିତାଭ କାହିଁକି ସାମିଲ ନାହାନ୍ତି, ଯାହାର ଉତ୍ତରରେ କଙ୍ଗନା କହିଛନ୍ତି, ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକ । ଅଥଚ ରାମ ମନ୍ଦିର ଭୂମି ପୂଜନରେ ମଧ୍ୟ ସେ ଶୁଭେଚ୍ଛା ଜଣେଇ ନାହାନ୍ତି ।
କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ଅମିତାଭ ମାଫିଆକୁ ଡରୁଛନ୍ତି । ତେବେ ତାଙ୍କୁ କିଛି କହିବାର ଅଧିକାର ମୋର ନାହିଁ । କିନ୍ତୁ ସେ ସୁଶାନ୍ତଙ୍କ ପାଇଁ କ’ଣ ନ୍ୟାୟ ମାଗିପାରିବେ ନି ? ଗଣମାଧ୍ୟମର ଆଙ୍କରକୁ ପ୍ରଶ୍ନ କରି କଙ୍ଗନା କହିଲେ, ଆପଣ ଭାବନ୍ତୁ କାହିଁକି । ଯଦି ବିଗ ବି ଏତେ ଡରୁଛନ୍ତି ତାହେଲେ ଅନ୍ୟମାନେ କ’ଣ କରିବେ ? ସୁଶାନ୍ତଙ୍କ ମୃତ୍ୟୁରେ କ’ଣ ଅମିତାଭଙ୍କ ହୃଦୟ କାନ୍ଦି ନଥିବ ? ନିଶ୍ଚୟ କାନ୍ଦିଥିବ, ତଥାପି ସେ କିଛି କହିନଥିଲେ ।
ସୂଚନା ଅନୁଯାୟୀ ଗତ ଅଗଷ୍ଟ ୫ ତାରିଖ ଦିନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କରିଥିଲେ । ସେ ସମୟରେ ଅକ୍ଷୟ କୁମାର, ବରୁଣ ଧୱନ, କଙ୍ଗନାଙ୍କ ସମେତ ଅନେକ ସେଲିବ୍ରିଟି ଟ୍ୱିଟ୍ କରି ଶୁଭେଚ୍ଛା ଜଣେଇଥିଲେ । କିନ୍ତୁ ବଲିଉଡ଼ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅମିତାଭ ବଚନ ଗୋଟିଏ ବି ଟ୍ୱିଟ୍ କରି ନଥିଲେ କି ଶୁଭେଛା ବାର୍ତ୍ତା ଦେଇନଥିଲେ । ଏହାପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା ଏବଂ ଅନେକେ ତାଙ୍କୁ ଅନଫଲୋ ମଧ୍ୟ କରିଥିଲେ ।
ତେବେ ସୂଚନା ଥାଉ ଯେ ଜୁନ ୧୪ ତାରିଖ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଅମିତାଭ ନିଜ ବ୍ଲଗରେ ସୁଶାନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ହେଲେ ଯେତେବେଳେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପରିବାର ସମେତ ସାରା ଦୁନିଆ ଲୋକ ଏକାଠି ହୋଇଛନ୍ତି ଓ CBI ତଦନ୍ତ ହେଉ ବୋଲି ଦାବି କରୁଥିଲେ ସେ ସମୟରେ ଅମିତାଭ ବଚ୍ଚନ ଥରୁଟିଏ ବି ସମର୍ଥନ କରିନାହାନ୍ତି କି ଗୋଟିଏ ହେଲେ ଟ୍ୱିଟ୍ କରିନାହାନ୍ତି । କଙ୍ଗନାଙ୍କ ସାକ୍ଷାତକାରରେ ଅମିତାଭଙ୍କୁ ନେଇ ଉଠାଇଥିବା ଏ ପ୍ରଶ୍ନରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ନିଜର ସମର୍ଥନ ଦେଇଛନ୍ତି ।