ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ୟା’ଭିତରେ ୩ ମାସ ବିତିଗଲାଣି ହେଲେ ମାମଲା ସଜାଡ଼ି ହେବା ବଦଳେ ଆହୁରି ବିଗିଡ଼ି ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ କିନ୍ତୁ ତାଙ୍କ ପାଇଁ ସ୍ଵର ଉଠାଇ ଅଭିନେତ୍ରୀ କଙ୍ଗନା ରାଣାୱତ ବେଶ ଚର୍ଚ୍ଚାରେ । ବଲିଉଡ୍ରେ ନେପୋଟିଜମ୍ ଠାରୁ ଆରମ୍ଭ କରି ଡ୍ରଗ୍ସ କାରବାର ଆଦି ପ୍ରସଙ୍ଗ ଉପରେ ଖୋଲାଖୋଲି କହିଚାଲିଛନ୍ତି କଙ୍ଗନା ।
କଥା ସେଇଠି ସରିନି । କଙ୍ଗନା ଏବେ ରାଜନୀତି ଓ ବିବାଦ ମୁହାଁ ହେଲେଣି । ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର କହି ମହାରାଷ୍ଟ୍ରର ଶାସକ ଦଳ ଶିବସେନାଙ୍କ ପ୍ରତିଦ୍ଵନ୍ଦ୍ଵୀ ପାଲଟିଗଲେଣି । ତଥାପି ସେ ତାଙ୍କର ଖୋଲାଖୋଲି ମତ ଦେବା ଜାରି ରଖିଛନ୍ତି ।
ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଆଲୋଚନା ସମୟରେ କଙ୍ଗନା କହିଥିଲେ ଯେ ଯେତେବେଳେ ସୁଶାନ୍ତ ସାରା ଅଲ୍ଲୀ ଖାନଙ୍କୁ ଡେଟ୍ କରୁଥିଲେ ସେତେବେଳେ ମୁଭି ମାଫିଆମାନେ ଚାହୁଁଥିଲେ ସେମାନଙ୍କର ବ୍ରେକ୍ଅପ୍ ହୋଇଯାଉ । ଏକଥା କହୁ କହୁ କଙ୍ଗନା ଅଭିନେତ୍ରୀ କରୀନା କପୁରଙ୍କ ନାଁ ନେଇଥିଲେ । କଙ୍ଗନାଙ୍କ କହିବାନୁଯାୟୀ କରୀନା ସାରାଙ୍କୁ କହିଥିଲେ ଯେ ସୁଶାନ୍ତ ତାଙ୍କ ପ୍ରଥମ ହିରୋ, ତେଣୁ ସାରା ତାଙ୍କୁ ଡେଟ୍ ନକରନ୍ତୁ ।
କଙ୍ଗନା ସେତିକିରେ ଅଟକି ନାହାନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ମୃତ ସୁଶାନ୍ତଙ୍କ ବାପା ପୋଲିସ ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା ଦେଖାଇଥିଲେ ତାହା ଆମେ ସମସ୍ତେ ଦେଖିଲେ । ଯେହେତୁ ମୁଁ ଡ୍ରଗ୍ସ ରାକେଟ୍ ବିଷୟରେ କହିଥିଲି ତେଣୁ ଡରି ଯାଇଥିଲି ଓ ନିଜ ପାଇଁ ସୁରକ୍ଷା ମାଗିଥିଲି । ରାଜନୀତି ସଂଶ୍ଳିଷ୍ଟ କିଛି ଲୋକ ବଲିଉଡ଼ ଇଣ୍ଡଷ୍ଟ୍ରିର କିଛି ଲୋକଙ୍କ ସହିତ ହାତ ମେଳାଇଛନ୍ତି ଯଦିଓ ମରାଠୀମାନଙ୍କୁ ନେଇ ମୁଁ କିଛି କହିନି । ସୁରକ୍ଷା ମିଳି ନଥିଲେ ସେମାନେ ମୋତେ ବି ମାରି ଦେଇଥା’ନ୍ତେ ସେକଥା କିଏ କହିବ !