କେରଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ହୃଦୟ ନୁହେଁ ଆତ୍ମା ପ୍ରକମ୍ପିତ ହୋଇଉଠିବ । ପ୍ରଶ୍ନ ଉଠିବ ମାନବିକତା ଉପରେ । ଘଟଣାଟି ଘଟିଥିଲା ବୁଧବାର ଦିନ । ଗୋଟିଏ ଗର୍ଭବତୀ ହାତୀ ଖାଇବା ଖୋଜି ପାଲକଡ ଜଙ୍ଗଲରୁ ପାଖ ଗାଁକୁ ଚାଲିଯାଇଥିଲା । ସେଠାରେ କେହିଜଣେ ଅମଣିଷ ସପୁରୀ ଭିତରେ ବାଣ ପୁରାଇ ଖାଇବାକୁ ଦେଇଦେଲା ଯାହାକୁ ଖାଇବା ପରେ ତାହା ତା ପାଟି ଭିତରେ ଫାଟି ଯାଇଥିଲା ଓ ସେ ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିଥିଲା ।
ଏହି ଘଟଣାଟି ଏବେ ସୋସିଆଲ ମିଡ଼ିଆ ଭାଇରାଲ ହେବାରେ ଲାଗିଛି । ସେଲେବ୍ରିଟିଙ୍କଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଏଭଳି ଅମାନବିକତାକୁ ନେଇ ପ୍ରତିବାଦ କରୁଛନ୍ତି । ବନ ଅଧିକାରୀ କୃଷ୍ଣନଙ୍କ କହିବାନୁଯାୟୀ ବୋଧହୁଏ ସେ ହାତୀ ଅପ୍ରେଲ ଶେଷ କିମ୍ବା ମଇ ଆରମ୍ଭରେ ସେ ବାଣଭର୍ତ୍ତି ସପୁରୀ ଖାଇଛି ଓ ଅସହ୍ୟ ଯନ୍ତ୍ରଣା ଯୋଗୁ ନଦୀ ପାଣି ଭିତରେ ଛିଡ଼ା ହୋଇଥିଲା । ମଇ ୨୫ ତାରିଖରେ ସେ ହାତୀକୁ ଏ ଅବସ୍ଥାରେ ଦେଖିଥିଲେ ଓ ତାକୁ ଉଦ୍ଧାର କରିବାକୁ ବନ ବିଭାଗର ଆଉ ଦୁଇଟି ହାତୀକୁ ଆଣିଥିଲେ । ମାତ୍ର ସବୁ ଚେଷ୍ଟା ବିଫଳ ହେଲା ଓ ମଇ ୨୭ ରେ ହାତୀଟି ସେଇ ଠିଆ ହେବା ଅବସ୍ଥାରେ ପ୍ରାଣ ଛାଡ଼ିଥିଲା ।
ସୂଚନାନୁଯାୟୀ ସେହି ଭୋକିଲା ଗର୍ଭବତୀ ହାତୀଟି ଅତ୍ୟଧିକ ଯନ୍ତ୍ରଣା ଭୋଗୁଥିବାବେଳେ ବି କାହାରିକୁ କ୍ଷତି ପହଞ୍ଚାଇ ନଥିଲା । ବାଣଭର୍ତ୍ତି ସପୁରୀ ଖାଇ ସାରିଲା ପରେ ଯନ୍ତ୍ରଣାରୁ ଉପଶମ ପାଇଁ ସେ ଭେଲିଆ ନଦୀକୁ ଯାଇ ଶୁଣ୍ଢ ବୁଡାଇ ପାଣିରେ ଠିଆ ହୋଇଥିଲା । ଘଣ୍ଟା ଘଣ୍ଟା ଧରି ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ସତ୍ତ୍ୱେ ତା ପାଇଁ କିଛି କରାଯାଇପାରିନଥିଲା ।
ଏ ଘଟଣା କିନ୍ତୁ ସାରା ମାନବଜାତିର ମାନସପଟକୁ ହୁଲୁସ୍ଥୁଳ କରିଦେଇଛି । ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟାମାନ ଦୃଢ ସମାଲୋଚନା ପୂର୍ଣ୍ଣ ତଥା ଏଭଳି ନିଷ୍ଠୁର କାର୍ଯ୍ୟ କରିଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି ହେଉଛି । “ସାକ୍ଷରତା ହାର କେବେ ହେଲେ ଶିକ୍ଷାକୁ ଦର୍ଶାଏନା” ବୋଲି ଜଣେ ବ୍ୟବହାରକାରୀ ଲେଖିଲାବେଳେ ଆଉଜଣେ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ହାତୀକୁ କ୍ଷମା ମାଗିଛନ୍ତି ।
ଯଦିଓ ଏ ଘଟଣାର ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ ତଥାପି କେରଳ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।