ସଂସ୍କାର : ଭଗବାନଙ୍କ ସୃଷ୍ଟିରେ ପଶୁ ଜନ୍ତୁ ଅନ୍ୟତମ। ଆଉ ସେହି ପଶୁ ମାନଙ୍କ ମଧ୍ୟରେ କୁକୁର ହେଉଛି ଏକ ନିରୀହ ପ୍ରାଣୀ। ଯେଉଁଥିପାଇଁ କି ମଣିଷ ସମାଜ ବିଲାତି କୁକୁର ମାନଙ୍କୁ କିଣି ଆଣି ଘରେ ପାଳିଥାଏ। କିନ୍ତୁ ବିଲାତି କୁକୁର ଛଡ଼ା ଏହି ପୃଥିବୀରେ ବୁଲା କୁକୁର ମଧ୍ୟ ରହିଛନ୍ତି , ଯାହାକୁ କି ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ସମାଜ ଅଣ ଦେଖାକରେ। ସେମାନଙ୍କୁ ମାରପିଟ୍ କରେ, ସମୟ ପଡିଲେ ବୁଲା କୁକୁର ମାନଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ପଛାଏ ନାହିଁ ଆଜିର ମଣିଷ।
ଆପଣ ଯଦି ପଶୁ ପ୍ରେମୀ ତେବେ ଏହି ଖବରଟି ପଢିଲେ ଆପଣଙ୍କ ଆଖି ନିଶ୍ଚିତ ଓଦା ହୋଇଯିବ। ଖବରଟି ଆସିଛି ଆନ୍ଧ୍ରପ୍ରଦେଶରୁ। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଲିଙ୍ଗପାଲେମ୍ ଗାଁରୁ ବୁଲା କୁକୁର ମାନଙ୍କୁ ନେଇ ଆସିଛି ଏଭଳି ଏକ ଘଟଣା ଯାହାକୁ ପଢିଲେ, ଆପଣ ମଧ୍ୟ ସେଠାକାର ଲୋକ ମାନଙ୍କୁ ଘୃଣା କରିବେ।
ତେବେ ଆନ୍ଧ୍ରପ୍ରଦେଶରେ ବୁଲା କୁକୁରମାନଙ୍କ ଉପରେ ଅତ୍ୟାଚାରର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମ ଗୋଦାବରୀ ଜିଲ୍ଲାର ଲିଙ୍ଗପାଲେମ ଗାଁର ପଞ୍ଚାୟତର ସଦସ୍ୟମାନେ ପ୍ରାୟ ୩୦୦ କୁକୁରକୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରିଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟ କରିବା ପରେ, ଏହି ଲୋକମାନେ ଗାଁ ପୋଖରୀ ନିକଟରେ ଏକ ଗାତ ଖୋଳି ସେଠାରେ ସମସ୍ତ ୩୦୦ ମଲା କୁକୁରକୁ ପୋତି ଦେଇଥିଲେ।
ଗତ ଜୁଲାଇ ମାସ ୨୯ ତାରିଖ ଦିନ ପଶୁ ଅଧିକାର କର୍ମୀ ଚ୍ୟାଲେପ୍ପାଲି ଶ୍ରୀଲଥା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଏହି ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଗ୍ରାମ ପଞ୍ଚାୟତର ସଚିବ ଏବଂ ସରପଞ୍ଚ ବିରୋଧରେ ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି।
ଖବର ଅନୁଯାୟୀ ଲିଙ୍ଗପାଲେମ ଗାଁର ଲୋକମାନେ ଏହି ବୁଲା କୁକୁରମାନଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରୁଥିଲେ। ଏହି ବିରକ୍ତ ଭାବରୁ କୁକୁର ମାନଙ୍କୁ ହତ୍ୟା କରାଯିବା ଉଚିତ ବୋଲି ଗ୍ରାମ ପଞ୍ଚାୟତ ଭାବିଥିଲା। ତେବେ ଶ୍ରୀଲଥା କହିଛନ୍ତି ଯେ ଯେତେବେଳେ ସେ ଗାଁ ପରିଦର୍ଶନ କରିଥିଲେ ସେତେବେଳେ ପୋଖରୀ ନିକଟରେ କୁକୁରମାନଙ୍କର ମୃତଦେହ ଘୁରି ବୁଲୁଥିବାର ଦେଖିବାକୁ ପାଇଥିଲେ। ଯେତେବେଳେ ସେ ଗାଁ ଲୋକଙ୍କୁ ଏହି ସମ୍ପର୍କରେ ପଚାରିଲେ , ସେମାନେ କହିଲେ ଯେ, ପଞ୍ଚାୟତର ନିର୍ଦ୍ଦେଶରେ ଏହି କୁକୁର୍ ମାନଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଛି।