ଦୀର୍ଘ ଦିନ ଧରି ବରିଷ୍ଠ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଥିଲେ, ଚିକିତ୍ସାଧୀନ ଥିଲେ ହେଲେ ଗତକାଲି ସନ୍ଧ୍ୟା ତାଙ୍କ ପାଇଁ ଥିଲା ଶେଷ ସନ୍ଧ୍ୟା । ୯୫ ବର୍ଷର ମାଆ ଥାଉ ଥାଉ ପୁଅ ବିଜୟ ସବୁଦିନ ପାଇଁ ଆଖି ବୁଜିଲେ ଗତକାଲି ସଞ୍ଜବେଳେ । ଏ ସମୟରେ ବୁଢୀ ମାଆ କିନ୍ତୁ ରହି ରହି ପୁଅକୁ ଖୋଜୁଛନ୍ତି ମାତ୍ର ପରିବାର ଲୋକେ ଜୁଟାଇ ପାରିନାହାନ୍ତି ସାହସ । କିପରି ମାଆକୁ କହିବେ ଯେ ତୋ ପୁଅ ଅଫେରା ଦୁନିଆରେ !
ସୂଚନା ଅନୁଯାୟୀ ଓଡ଼ିଆ ସିନେ ଜଗତର ମାଇଲଖୁଣ୍ଟ ବିଜୟ ମହାନ୍ତି ଆଉ ନାହାନ୍ତି, ଯେଉଁ ଖବର ପରେ ସାରା ରାଜ୍ୟବାସୀ ଏବେ ସ୍ତବ୍ଧ । ହେଲେ ଏ ଖବର ଏ ପର୍ଯ୍ୟନ୍ତ ତାଙ୍କ ମାଆଙ୍କୁ ଜଣାନାହିଁ । ମାଆ ସବୁବେଳେ ବଡ଼ ଭାଇଙ୍କୁ ଖୋଜୁଛନ୍ତି ଓ କାନ୍ଦୁଛନ୍ତି । ମାତ୍ର ପୁଅର ପରଲୋକ ଖବର ମାଆ ଶୁଣିଲେ ସହ୍ୟ କରିପାରିବେନି ବୋଲି ବିଜୟ ମହାନ୍ତି ସାନ ଭାଇ ଅଜୟ ମହାନ୍ତି କହିଛନ୍ତି ।
ଅଜୟ ମହାନ୍ତି ଆହୁରି ବି କହିଛନ୍ତି ଯେ ମାଆଙ୍କ ମାନସିକ ସ୍ଥିତି ଭଲ ରହୁନାହିଁ । ପୁଅ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଜାଣିଲେ ସେ ଶକ୍ତ ଆଘାତ ପାଇବେ । ଏମିତିକି କିଛି ଅଘଟଣା ବି ଘଟିଯାଇପାରେ । ହାଇଦ୍ରାବାଦରେ ଅସୁସ୍ଥ ହେଇପଡ଼ିଥିବା କଥା ବି ମାଆଙ୍କୁ ଜଣା ହୋଇନାହିଁ । ଏବେ ପରିବାର ଲୋକେ ଆଶଙ୍କାରେ ଯେ କିପରି କହିବେ ଯେ ତାଙ୍କ ଘରର ମୁରବି ଆଉ ଏ ଦୁନିଆରେ ନାହାନ୍ତି !