ସଂସ୍କାର : ଆରପାରିରେ ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସ। ମାତ୍ର ୬୩ ବର୍ଷ ବୟସରେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ଏହି ଦିଗଞ୍ଜ ଅଭିନେତା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ତଥା ଜଣାଶୁଣା ନାଁ ହେଉଛି ମିହିର ଦାସ। ଯାହାଙ୍କର ଆଜି ପରଲୋକ ହୋଇଯାଇଛି। ସମଗ୍ର ଓଡିଶା ତାଙ୍କ ମୃତ୍ୟୁରେ ଅବାକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

ସୂଚନାଯୋଗ୍ୟ ଯେ, ଓଲିଉଡ୍ର କାକା ଭାବେ ପରିଚିତ ଭେଟ୍ରାନ୍ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ପିଲାଟି ଦିନରୁ କଳା ଓ ସିନେମା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ସଜାଇ ଦେଇଥିଲା। ସେ ତିନି ଦଶନ୍ଧି ଧରି ଓଲିଉଡ୍ରେ ରାଜ୍ କରିଥିଲେ। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ମସିହାରେ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଠିକ୍ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି।

ସେହିଭଳି ୨୦୦୨ ମସିହାରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ ମସିହାରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାଛଡ଼ା ୧୯୯୯ ମସିହାରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ ମସିହାରେ ‘ମୁଁ ତତେ ଲଭ୍ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନୀତ କରାଯାଇଛି।