ଗତ କାଲି ମଇ ୧୪ ତାରିଖ ଗୁରୁବାର ସକାଳେ ହାଇଦ୍ରାବାଦ ମାଲ୍ଲରଦେବପଲ୍ଲୀର ଏକ ମୁଖ୍ୟ ରାସ୍ତାରେ ଏକ ଚିତାବାଘ ବୁଲୁଥିବା ଆତଙ୍କ ସୃଷ୍ଟି କରିଥିଲା । ଚିତାବାଘଟି ରାସ୍ତା ପାର୍ଶ୍ୱରେ ଦୌଡୁଥିବାର ଏବଂ ପରେ ମାଲ୍ଲରଦେବପଲ୍ଲୀ ଅଣ୍ଡରପାସ୍ ରାସ୍ତାର ଏକ ଡିଭାଡର ଉପରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା । ରାସ୍ତାରେ କଡ଼ ଆପାର୍ଟମେଣ୍ଟରେ ରହୁଥିବା ସ୍ଥାନୀୟ ବାସିନ୍ଦା ଓ ରାସ୍ତାରେ ଉପର ଦେଇ ଯାଉଥିବା ମଟର ଚାଳକ ପୋଲିସକୁ ତଥା ବନ ବିଭାଗର ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ ।
ସୋସିଆଲ ମିଡ଼ିଆରେ ଏହାର ଅନେକ ଭିଡ଼ିଓ ଘୁରି ବୁଲୁଛି ଯେଉଁଥିରେ ଅନୁମାନ କରିହେଉଛି ଯେ ହୁଏତ ସେ ଚିତାବାଘଟି ଅସୁସ୍ଥ କିମ୍ବା କେଉଁଠୁ ଆଘାତ ପାଇଥିବାରୁ ରାସ୍ତା କଡ଼ରେ ବିଶ୍ରାମ ନେଉଛି । ଜଣେ ବ୍ୟକ୍ତି ତା ପାଖକୁ ଯିବାକୁ ଚେଷ୍ଟା କଲାବେଳେ ସେ ଆକ୍ରମଣ କଲା ଓ ସେହି ସ୍ଥାନରୁ ଡିଆଁ ମାରି ପଳେଇଲା । ଉକ୍ତ ବ୍ୟକ୍ତିକୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ ପଠାଇଦିଆଗଲା । ସ୍ଥାନୀୟ ଲୋକଙ୍କ ସୂଚନା ପାଇଁ ବନ ବିଭାଗର ଅଧିକାରୀମାନେ ଆସି ପହଞ୍ଚିଲେ ସତ ହେଲେ ସେତେବଳକୁ ଚିତାବାଘ ସେଠାରୁ ଚମ୍ପଟ ମାରି ସାରିଥିଲା ।
ହାଇଦ୍ରାବାଦର କାନ୍ନୁର NH-7 କଡ଼ରେ ଥିବା ପ୍ରାୟ ୧୦୦ ଏକର ପରିସୀମା ବିଶିଷ୍ଟ ଇଣ୍ଡଷ୍ଟ୍ରି ବାଉଣ୍ଡେରୀ ଭିତରକୁ ଚିତାବାଘ ଲମ୍ଫ ଦେଇ କେଉଁ ଏକ ବୁଦାମୂଳେ ଲୁଚିଗଲା । ବନ ବିଭାଗ ଅଧିକାରୀମାନଙ୍କ ଦ୍ଵାରା ପ୍ରୟାସ ଜାରି ରହିଛି ତାକୁ ସୁରକ୍ଷିତ ଧରିବା ପାଇଁ । ତେଣୁ ଚିତାବାଘ ଖାଉଥିବା ମାଂସ ଖଣ୍ଡ ଉକ୍ତ ଇଣ୍ଡଷ୍ଟ୍ରି ପାଖ ଜଙ୍ଗଲ ଭଳିଆ ସ୍ଥାନ ସାରା ପକେଇ ଦିଆଯାଇଛି । ଯେତେବେଳେ ସେ ଖାଇବାକୁ ବାହାରକୁ ବାହାରିବ ତାକୁ କାବୁ କରି ନିଆଯିବ । ତାକୁ ଖୋଜିବାକୁ ବନ ଅଧିକାରୀମାନେ ଡ୍ରୋନ୍ କ୍ୟାମେରାର ସାହାଯ୍ୟ ବି ନେଇଥିଲେ ।
ପ୍ରାୟ ୧୧ ଘଣ୍ଟାର ପ୍ରୟାସ ପରେ ବନ ବିଭାଗର ଅଧିକାରୀମାନେ ରାତି ୧୦:୩୦ ପାଖାପାଖି ସେ ଚିତାବାଘକୁ ଧରିବାରେ ସଫଳ ହୋଇଥିଲେ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଚିଡ଼ିଆଖାନା ପଠେଇଦେଇଥିଲେ । ସେ ସୁସ୍ଥ ହେଲାପରେ ତାକୁ ସେହି ଚିଡିଆଖାନାରେ ରଖିବେ ନା ଜଙ୍ଗଲକୁ ଛାଡ଼ି ଦେବେ ସେନେଇ ଏକ ବୈଠକ ହେବ ଓ ନିଷ୍ପତ୍ତି ନିଆଯିବ ।